ଦୁଇ ମହିଳା ସରକାରୀ ଅଧିକାରୀଙ୍କ ମୃତ୍ୟୁ ଘଟଣା: ତଦନ୍ତ ଦାବିରେ ଆଜି ସୁନ୍ଦରଗଡ଼ ବନ୍ଦ
ଓଏଲ୍ ବ୍ୟୁରୋ: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସଆଇ ଏ.ଏନ.ଲୁଗୁନଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢୁଥିବାବେଳେ ଦୁଇ ମୃତ୍ୟୁ ମାମଲାକୁ ନେଇ ଚର୍ଚା ବଢ଼ିବାରେ ଲାଗିଛି। ଉଭୟ ଘଟଣାର ସିବିଆଇ ତଦନ୍ତ ଦାବିରେ ସୁନ୍ଦରଗଡ଼ ଜିଲ୍ଲା ବନ୍ଦ ଡାକରା ବିଜେପି ମହିଳା ମୋର୍ଚ୍ଚା ଓ ଆଦିବାସୀ ମହିଳା ମୋର୍ଚ୍ଚା ଦେଇଛି। ସକାଳ ୬ଟାରୁ ଉଭୟ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହା ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗାଡ଼ି ଚଳାଚଳ ଓ ଦୋକାନ ମଧ୍ୟ ବନ୍ଦ ରହିଛି।
ସୂଚନା ଅନୁସାରେ, ଏକ ଯାତ୍ରୀବାହୀ ବସ ଓ କାର ଦୁର୍ଘଟଣା ମାମଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଖବର ପାଇ ଏଏସ୍ଆଇ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଲିସା ନରିନ ଲୁଗୁନ, ମହିଳା ଆସିଷ୍ଟାଂଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ। ତେବେ ଏଏସ୍ଆଇଙ୍କ ମୃତ୍ୟୁକୁ ନେଇ ପୁଲିସ ତଦନ୍ତ ଜାରି କରିଛି।