Odisha Link
Bridging the Missing Links in Odisha

ରାଜ୍ୟରେ ଉପରମୁହାଁ ହେଲାଣି ପାରଦ; ଆହୁରି ବଢ଼ିବ ତାତି!

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଉପରମୁହାଁ ହେଲାଣି ପାରଦ। ଉପାନ୍ତରୁ ଉପକୂଳ ସବୁଠି ରାଜ୍‌ କରୁଛି ଗ୍ରୀଷ୍ମପ୍ରବାହ। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୩୭ ଡ଼ିଗ୍ରୀ ଛୁଇଁଯାଇଛି। ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି। ଆଗାମୀ ଦିନେ ଦୁଇ ଦିନ ଭିତରେ ତାପମାତ୍ରାରେ ଆହୁରି ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ସହ ବିଶ୍ୱ ପାଣିପାଗ ସଂଗଠନର ପୂର୍ବାନୁମାନ ଚିନ୍ତା ବଢ଼ାଇଛି। ସଂଗଠନ କହିଛି, ଏଲନିନୋ ଦୁର୍ବଳ ଥିବା ସତ୍ୱେ ତାପମାତ୍ରା ଅଧିକ ରହିବ। ବିଶେଷକରି ମାର୍ଚରୁ ମେ ମାସ ମଧ୍ୟରେ ସମସ୍ତ ସ୍ଥଳଭାଗରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ ବୋଲି ପୂର୍ବାନୁମାନ କରାଯାଇଛି। ମାର୍ଚ୍ଚରୁ ମେ ମାସ ଭିତରେ ଏଲନିନୋର ପ୍ରଭାବ ବଳବତର ରହିବାର ପ୍ରାୟ ୬୦ ପ୍ରତିଶତ ସମ୍ଭାବନା ଅଛି।

ସେହିପରି ଏପ୍ରିଲରୁ ଜୁନ୍ ଭିତରେ ନିରପେକ୍ଷ ସ୍ଥିତି ଅର୍ଥାତ୍ ଏଲନିନୋ କିମ୍ବା ଲାନିନା ଆସିବାର ୮୦ ପ୍ରତିଶତ ସମ୍ଭାବନା ରହିଛି। ଏଲନିନୋ ସାଧାରଣ ଭାବେ ପ୍ରତି ୨ରୁ ୭ବର୍ଷ ପର୍ଯ୍ୟନ୍ତ ହୁଏ, ଆଉ ଏହା ୯ରୁ ୧୨ ମାସ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିଥାଏ। ଏଲନିନୋ ଏକ ପ୍ରାକୃତିକ ଜଳବାୟୁ ଢାଞ୍ଚା। ଏହା କେନ୍ଦ୍ରୀୟ ଏବଂ ପୂର୍ବ ଗ୍ରୀଷ୍ମମଣ୍ଡଳୀୟ ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠର ଉଷ୍ମତା ସହ ଜଡ଼ିତ। ଏହା ପୃଥିବୀର ବିଭିନ୍ନ ସ୍ଥାନରେ ପାଣିପାଗ ଓ ଝଡ଼ର ଢାଞ୍ଚାକୁ ପ୍ରଭାବିତ କରିଥାଏ। ଏହା ସହ ଖରାଦିନ ପାଇଁ ପ୍ରସ୍ତୁତ ରହିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି।