କନ୍ଧମାଳ ସଭାରେ ନବୀନଙ୍କୁ ତୀର ମାରିଲେ ମୋଦି, ଦେଲେ ବଡ଼ ଆହ୍ବାନ
ଓଏଲ୍ ବ୍ୟୁରୋ: ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ କନ୍ଧମାଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଣେ ବୃଦ୍ଧ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ପିଏମ୍ ମୋଦି ଜୟ ଜଗନ୍ନାଥ, ଜୟ ଶ୍ରୀରାମ ନାରାରୁ ହିଁ ଅଭିଭାଷଣ ଆରମ୍ଭ କରିଥିଲେ। ଏଥିସହିତ ସେ ଓଡ଼ିଶାକୁ ବିକଶିତ ରାଜ୍ୟ କରିବାକୁ ଦିନ ରାତି କାମ କରିବି ବୋଲି କହିଥିଲେ ମୋଦି। ସେହିପରି ସବୁଦିନ ପାଇଁ ଓଡ଼ିଶା ଲୋକଙ୍କ ପାଖରେ ଋଣୀ ହୋଇ ରହିବି। ଓଡ଼ିଶାବାସୀଙ୍କ ସେବା କରି ଋଣ ଶୁଝିବାକୁ ଚାହୁଁଛି ବୋଲି ଅଭିଭାଷଣରେ ମୋଦି କହିଥିଲେ।
ନରେନ୍ଦ୍ର ମୋଦି ଭାଷଣ ଆରମ୍ଭରୁ କହିଛନ୍ତି, କୋଟି କୋଟି ମା’ଙ୍କ ଆଶୀର୍ବାଦ ମିଳୁଛି। କନ୍ଧମାଳରେ ମୋତେ ମିଳିଥିବା ଭବ୍ୟ ଆଶୀର୍ବାଦ କେବେ ଭୁଲିବିନି। ସାରା ଦେଶରେ କିଭଳି ପରିବର୍ତ୍ତନ ଆସୁଛି ତାହାର ଉଦାହରଣ ଆଜି ଦେଖି ପାରୁଛି ବୋଲି କହିଥିଲେ। ଏହି ଅବସରରେ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନିଙ୍କୁ ସମ୍ମାନୀତ କଲେ ପ୍ରଧାନମନ୍ତ୍ରୀ। ମୋଦି ପଦ୍ମଶ୍ରୀଙ୍କ ପାଦ ଛୁଇଁଲା ବେଳେ ମନା କଲେ ପୂର୍ଣ୍ଣମାସୀ ଜାନି। ଯାହାର ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି।
ଏଥିସହିତ ଜଗନ୍ନାଥ ମିନ୍ଦର ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ପିଏମ୍ ମୋଦି। ସେ କହିଛନ୍ତି, ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି କୁଆଡେ ଗଲା ୬ ବର୍ଷ ହେଲାଣି ମିଳୁନି। ଏଭଳି ଅମୂଲ୍ୟ ଭଣ୍ଡାରର ଚାବି ବି ଏ ସରକାର ସମ୍ଭାଳି ପାରୁନି। ଚାବି କୁଆଡେ ଗଲା, କାହା ପାଖକୁ ଗଲା ତାହା ଜାଣିବା ସମସ୍ତଙ୍କର ଅଧିକାର ଅଛି ବୋଲି କହିଛନ୍ତି। ସେହିପରି ରାଜ୍ୟ ସରକାର କହୁଛନ୍ତି ଡୁପ୍ଲିକେଟ ଚାବି ମିଳିଛି। ଡୁପ୍ଲିକେଟ ଚାବି ତାହାଲେ କାହିଁକି ତିଆରି ହୋଇଥିଲା । ଡୁପ୍ଲିକେଟ ଚାବିରେ କେହି ରତ୍ନ ଭଣ୍ଡାର ଖୋଲି ରତ୍ନ ନେଉନଥିଲା ତ ବୋଲି ପ୍ରଶ୍ନ କରିଛନ୍ତି ମୋଦି। ଏଥିସହିତ ସେ ଆହୁରି କହିଛନ୍ତି ଯେ ରାଜ୍ୟରେ ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ମର୍ଯ୍ୟାଦା ପ୍ରତିଷ୍ଠା ହେବ।
ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ସେ ନବୀନ ପଟ୍ଟନାୟକଙ୍କୁ ଆହ୍ବାନ ଦେଇ କହିଛନ୍ତି ଯେ ନବୀନ ବାବୁଙ୍କୁ ବିନା କାଗଜରେ ଜିଲ୍ଲା ନାମ ଓ ଜିଲ୍ଲା ମୁଖ୍ୟାଳୟ ନାମ ଲେଖିବାକୁ କୁହାଯାଉ। ଯେଉଁ ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲା ନାଁ ଜାଣି ନାହାନ୍ତି ସେଭଳି ମୁଖ୍ୟମନ୍ତ୍ରୀ ଆପଣ ଦୁଃଖ ବୁଝି ପାରିବେ କି ? ବିଜେପିକୁ ୫ ବର୍ଷ ସୁଯୋଗ ଦିଅନ୍ତୁ ଓଡ଼ିଶାକୁ ନମ୍ବର ଓ୍ବାନ୍ କରିଦେବୁ ବୋଲି ମୋଦି କହିଛନ୍ତି।
ବିଜେଡିକୁ ଟାର୍ଗେଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ‘ଓଡ଼ିଶାରେ ବିଜେପି ସରକାର ହେବାକୁ ଯାଉଛି। ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ହେବା ଥୟ। ଓଡ଼ିଆ ଭାଷାରେ ମୋଦି କହିଛନ୍ତି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ। ଜୁନ ୧୦ ତାରିଖରେ ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ। ଆଉ ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସରକାର ହେ । ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବୁଝୁଥିବା ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀ ହେବେ। ମୁଁ ଆପଣଙ୍କୁ ନିମନ୍ତ୍ରଣ ଦେବାକୁ ଆସିଛି। ଭୁବନେଶ୍ବରରେ ଶପଥ ଗ୍ରହଣ ଉତ୍ସବ ହେବ। ଆଉ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଜଣେ ଓଡିଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।’ ବ୍ରହ୍ମପୁର ସଭାରେ କହିଥିବା କଥାକୁ ପୁନଶ୍ଚ ଦୋହରାଇଛନ୍ତି ପିଏମ୍ ମୋଦି।
ସେହିପରି କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି, ୨୦୧୪, ୨୦୧୯ ନିର୍ବାଚନର ପୁରୁଣା ସ୍କ୍ରିଫ୍ ପଢ଼ୁଛନ୍ତି ତାଙ୍କ ରାଜକୁମାର। କଂଗ୍ରେସ ଶାସନ କାଳରେ ଯାହା ବି କରିଛି ତାକୁ ଜନସାଧାରଣ କେବେ ବି କ୍ଷମା କରିବେନି। ବିରୋଧୀ ମନେ ରଖନ୍ତୁ ଏଥର ନିର୍ବାଚନରେ ଏନ୍ଡିଏ ୪୦୦ ଟପିବ। ଏଥର ପୂର୍ବ ରେକର୍ଡ ଭାଙ୍ଗିବ ଏନ୍ଡିଏ। କଂଗ୍ରେସର ଆସନ ସଂଖ୍ୟା ୫୦ ତଳକୁ ଯିବ ବୋଲି କହିଛନ୍ତି ମୋଦି।