Odisha Link
Bridging the Missing Links in Odisha

ଖୋଲିବ ଇଭିଏମ୍‌ ପେଡି: ୨.୫ କୋଟି ଭୋଟରଙ୍କ ନିଷ୍ପତ୍ତିର ହିସାବ ଆଜି, ୧୬୮ ନେତା ପିନ୍ଧିବେ ବିଜୟ ମୁକୁଟ

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ କିଏ ଗଢ଼ିବ ସରକାର ? ବିଜେଡି, ବିଜେପି ନା କଂଗ୍ରେସ। ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଆଉ ମାତ୍ର କିଛି ସମୟର ଅପେକ୍ଷା। ପ୍ରକାଶ ପାଇବ ଗଣତନ୍ତ୍ରର ମହାପର୍ବର ଫଳାଫଳ। ଓଡ଼ିଶାବାସୀ କେଉଁ ଦଳ ଉପରେ ଭରସା କରୁଛନ୍ତି ତା’ ସ୍ପଷ୍ଟ ଚିତ୍ର ଅପରାହ୍ନ ସୁଦ୍ଧା ସାମ୍ନାକୁ ଆସିଯିବ। ଜନତା ଜନାର୍ଦ୍ଦନଙ୍କ ବିଶ୍ବାସ ଜିଣି କିଏ ଓଡ଼ିଶାରେ ସରକାର ଗଢ଼ିବ ତାହା ଆଜି ସନ୍ଧ୍ୟା ସୁଦ୍ଧା ଜଣାପଡ଼ିବ।

ଚଳିତ ସାଧାରଣ ନିର୍ବାଚନରେ ମୋଟ୧୪୯୨ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି। ପ୍ରତିଦ୍ବନ୍ଦ୍ବିତା କରୁଥିବା ମୋଟ୍ ୧୪୯୨ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଲୋକସଭାରେ ୨୦୭ଜଣ ଓ ବିଧାନସଭାରେ ୧୨୮୫ ଜଣଙ୍କ ଭାଗ୍ୟ ଏବେ ଇଭିଏମ୍‌ରେ ସିଲ୍ ହୋଇଛି ଠିକ୍‌ ସକାଳ ୮ଟା ୩୦ରେ ଏହା ଖୋଲାଯିବ। ରାଜ୍ୟର ୭୦ଟି ସ୍ଥାନରେ ଭୋଟ୍ ଗଣତି ହେବା ପାଇଁ ବ୍ୟବସ୍ଥା କରିଛନ୍ତି ନିର୍ବାଚନ କମିଶନର।

ଭୋଟ୍ ଗଣତି ପାଇଁ ୭୦ଟି ଯାକ କେନ୍ଦ୍ରରେ ମୋଟ୍ ୩୫୮୯ଟି ଟେବୁଲ୍‌ ବ୍ୟବସ୍ଥା ହୋଇଥିବାବେଳେ ପ୍ରଥମେ ପ୍ରତି ଟେବୁଲ୍‌ରେ ପୋଷ୍ଟାଲ ବାଲାଟ୍ ଗଣତି ହେବ। ବିଧାନସଭା ପାଇଁ ୧୭୯୯ଟି ଟେବୁଲ୍ ଏବଂ ଲୋକସଭା ପାଇଁ ୧୭୯୦ଟି ଟେବୁଲ୍ ରହିବ। ଟେବୁଲ୍‌ ଦାୟିତ୍ବରେ ରିଟର୍ଣ୍ଣିଂ ଅଫିସର ଏବଂ ସହକାରୀ ରିଟର୍ଣ୍ଣିଂ ଅଫିସର ରହିବେ। ଲୋକସଭା ଓ ବିଧାନସଭା ଭୋଟ୍ ଗଣତି ହେବାକୁ ଥିବାବେଳେ ୮୭ଟି ସ୍ଥାନରେ ବିଧାନସଭା ପାଇଁ ପୃଥକ ଗଣତି ହେବ। ଏଥିପାଇଁ ମୋଟ୍ ୫୦୭୭ଜଣ ଗଣତି ସୁପରଭାଇଜର୍ ନିୟୋଜିତ ହେବେ। ଗଣତି ପ୍ରକ୍ରିୟା ଯାଞ୍ଚ କରିବାକୁ ୧୨୪ଜଣ ପର୍ଯ୍ୟବେକ୍ଷକ ସୁପରଭାଇଜର୍ ଉପସ୍ଥିତ ରହିବେ।

ନିର୍ବାଚନ ଫଳାଫଳ ଜାଣିବେ କେମିତି:
ସାଧାରଣ ଲୋକମାନେ ଘରେ ବସି ମୋବାଇଲ୍‌ ଓ କମ୍ପ୍ୟୁଟରରେ https://results.eci.gov.in/ ରେ ସାରା ରାଜ୍ୟର ନିର୍ବାଚନ ଫଳାଫଳ ଜାଣିପାରିବେ। ଏହାବାଦ୍ ଜିଲ୍ଲାପାଳମାନେ ଭୋଟ୍ ଗଣତି ପ୍ରକ୍ରିୟା ଏବଂ ପ୍ରାର୍ଥୀ କେତେ ଭୋଟ୍ ପାଉଛନ୍ତି ତା’ର ଟିକିନିଖ୍ ତଥ୍ୟ ଜଣାଇବାକୁ ସର୍ବସାଧାରଣ ସ୍ଥାନରେ ଏଲ୍‌ଇଡି ଟିଭି ଲଗାଇବାକୁ କୁହାଯାଇଛି।

ସୂଚନାଥାଉକି, ରାଜ୍ୟରେ ମେ’ ୧୩, ୨୦, ୨୫ ଏବଂ ଜୁନ୍‌ ୧ରେ ମୋଟ୍ ୪ଟି ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇଥିବା ବେଳେ ଏଥିରେ ପ୍ରାୟ ଅଢ଼େଇ କୋଟି ମତଦାତା ମତଦାନ କରିଛନ୍ତି। ୨୦୧୯ରେ ରାଜ୍ୟରେ ‌ମତଦାନ ହାର ୭୩.୦୯% ଥିବାବେଳେ ୨୦୨୪ରେ ଏହା ୭୪.୪୪% ପ୍ରତିଶତ ହୋଇଛି। ଏଥିରେ ୭୩.୩୭% ପୁରୁଷ ମତଦାନ କରିଥିବା ବେଳେ ୭୫.୫୫% ମହିଳା ମତଦାତା ଅଛନ୍ତି। ‌୨୦୧୯ ତୁଳନାରେ ଏଥର ୧୬ଟି ସଂସଦୀୟ କ୍ଷେତ୍ରରେ ମତଦାନ ହାର ବଢ଼ିଥିବା ବେଳେ ୫ଟି ସଂସଦୀୟ କ୍ଷେତ୍ରରେ ମତଦାନ ହାର କମିଛି।

Leave A Reply

Your email address will not be published.