୨୦୧୯ରେ ଜିତିଥିବା ୩୦୩ଟି ଆସନରୁ ୯୨ଟିରେ ହାରିଲା ବିଜେପି, ଓଡ଼ିଶାରୁ ମିଳିଲା ଭଲ ନମ୍ବର
ଓଏଲ୍ ବ୍ୟୁରୋ: ଲୋକସଭା ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଜଣା। ଆଉ ନିର୍ବାଚନ ଫଳାଫଳକୁ ନେଇ ରାଜନୈତିକ ଦଳ ଗୁଡ଼ିକ ବିଶ୍ଲେଷଣ ମଧ୍ୟ ଜାରି ରଖିଛନ୍ତି। ୨୦୨୪ରେ ୨୪୦ ଆସନ ପାଇଥିବା ଭାରତୀୟ ଜନତା ପାର୍ଟି ୨୦୧୯ ମସିହାରେ ୩୦୩ଟି ଆସନ ହାତେଇଥିଲା। ଗତ ନିର୍ବାଚନକୁ ତୁଳନା କଲେ ଚଳିତ ନିର୍ବାଚନରେ ବିଜେପି ୯୨ଟି ଆସନରେ ପରାଜୟର ସମ୍ମୁଖୀନ ହୋଇଛି। ବିଶେଷ ଭାବେ ବିଜେପିକୁ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ରାଜସ୍ଥାନରେ କ୍ଷତି ସହିବାକୁ ପଡ଼ିଛି।
୨୦୧୯ ମସିହାରେ ଭାରତୀୟ ଜନତା ପାର୍ଟି ୩୦୩ଟି ଆସନରେ ବିଜୟୀ ହୋଇଥିଲା। ସେମଧ୍ୟରୁ ଚଳିତଥର ୨୦୮ଟି ଆସନରେ ପୁନର୍ବାର ବିଜୟୀ ହୋଇଛି ବିଜେପି। ସେହିପରି ବିଜେପିର ୩ଟି ଆସନରେ ଏନଡିଏର ଅନ୍ୟ ଦଳ ଗୁଡ଼ିକ ଜିତିଛନ୍ତି। ସେ ଦଳ ଗୁଡ଼ିକ ହେଲେ ଜନତା ଦଳ ୟୁନାଇଟେଡ, ଜନତା ଦଳ ସେକୁଲାଣ ଓ ରାଷ୍ଟ୍ରୀୟ ଲୋକ ଦଳ। ଯେଉଁମାନେ ଗୋଟିଏ ଲେଖାଏଁ ଆସନରେ ଜିତିଛନ୍ତି। ୨୦୨୪ ନିର୍ବାଚନରେ ବିଜେପି ୩୨ଟି ନୂଆ ଆସନରେ ବିଜୟୀ ହୋଇଛି। ସବୁଠୁ ବଡ଼କଥା ହେଲା ବିଜେପି ହାରିଥିବା ୯୨ଟି ଆସନରେ ୨୯ଟି ଆସନ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଆସନ ଥିଲା।
ଯଦି ରାଜ୍ୟସ୍ତରୀୟ ଫଳାଫଳ ଦେଖିବା ତେବେ ବିଜେପିର ବଡ଼ କ୍ଷତି ଉତ୍ତର ପ୍ରଦେଶରେ ହୋଇଛି। ଯେଉଁଠି ୯୨ଟି ଲୋକସଭା ଆସନରୁ ଦଳ ୨୯ଟିରେ ପରାଜିତ ହୋଇଛି। ସେହପରି ମହାରାଷ୍ଟ୍ର ୧୬ ଓ ରାଜସ୍ଥାନରେ ୧୦ଟି ଆସନରେ ବିଜେପି ପରାଜିତ ହୋଇଛି। ସେହପରି କର୍ଣ୍ଣାଟକ ଓ ପଶ୍ଚିମବଙ୍ଗରେ ୮ଟି ଲେଖାଏଁ ଆସନ ହରାଇଛି ବିଜେପି। ସେହିପରି ହରିଆଣାରେ ଗତଥର ୧୦ଟି ଆସନ ଜିତିଥିଲା ହେଲେ ଚଳିତ ଥର ମାତ୍ର ୫ଟି ଆସନରେ ବିଜୟୀ ହୋଇଛି।
ସେହିପରି ବିହାରରେ ୫, ଝାଡ଼ଖଣ୍ଡରେ ୩, ପଞ୍ଜାବରେ ୨ଟି ଆସନ ହାରିଥିବା ବେଳେ ଆସାମ, ଚଣ୍ଡିଗଡ଼, ଡାମନ ଡିଉ, ଗୁଜରାଟ, ଲଦାଖ ଓ ମଣିପୁରରେ ଗୋଟିଏ ଲେଖାଏଁ ଆସନରେ ପରାଜିତ ହୋଇଛି। ସବୁମିଶାଇ ଚଳିତ ଲୋକସଭା ନିର୍ବାଚନରେ ବିଜେପି ୧୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୯୨ଟି ଆସନରେ ପରାଜିତ ହୋଇଛି।
ବିଜେପି ଆସନରେ କେଉଁ ଦଳ ଜିତିଲା ?
ସବୁଠୁ ବଡ଼କଥା ହେଲା ବିଜେପି ହାରିଥିବା ୯୨ଟି ଆସନରୁ କଂଗ୍ରେସ ୪୨ଟି ଆସନରେ ବାଜିମାତ କରିଛି। ମହାରାଷ୍ଟ୍ରର ୯, ରାଜସ୍ଥାନର ୮ ଓ ଉତ୍ତର ପ୍ରଦେଶର ୪ଟି ଆସନ ସାମିଲ। ସେହିପରି ସମାଜବାଦୀ ପାର୍ଟି ବିଜେପିର ୨୫ଟି ଆସନରେ ବିଜୟୀ ହୋଇଛି। ସେହିପରି ପଶ୍ଚିମବଙ୍ଗରେ ଟିଏମସି ୮ ଓ ମହାରାଷ୍ଟ୍ରରେ ଏନସିପି ଏସପି ୫ଟି ବିଜେପିର ହାସଲ କରିଛନ୍ତି।
କେଉଁ ରାଜ୍ୟରେ ବିଜେପିକୁ ମିଳିଲା ଭଲ ନମ୍ବର:
ବିଜେପିକୁ ଚଳିତ ଥର ୯୨ଟି ଆସନରେ ହାରିବାକୁ ପଡ଼ିଛି। ହେଲେ ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବିଜେପି ପ୍ରଥମ ଥର ପାଇଁ ୩୨ଟି ଆସନରେ ବିଜୟୀ ହୋଇଛି। ଯାହାଫଳରେ ବିଜେପିର ସଂଖ୍ୟା ୨୪୦ ଛୁଇଁପାରିଛି। ପ୍ରଥମଥର ଓଡ଼ିଶାରେ ସର୍ବାଧିକ ୧୨ଟି ନୂଆ ଆସନ ହାତେଇଛି। ସେହିପରି ତେଲେଙ୍ଗାନାରେ ୪, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ୩ଟି ଲେଖାଏଁ ଆସନରେ ବାଜିମାତ କରିଛି। ପଶ୍ଚିମବଙ୍ଗରେ ୨ଟି ଆସନ ଜିତିଥିବା ବେଳେ ବିହାର, ଦାଦରା ନଗର ହବେଲି, ଛତିଶଗଡ଼, ଆଣ୍ଡାମାନ ନିକୋବର ଦ୍ବୀପପୂଞ୍ଜ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଓ କେଳରେ ଗୋଟିଏ ଲେଖାଏଁ ଆସନରେ ବିଜେପି ବିଜୟୀ ହୋଇଛି।