Odisha Link
Bridging the Missing Links in Odisha

କାଲିଠୁ ଆରମ୍ଭ ହେବ +୨ ନାମଲେଖା ପ୍ରକ୍ରିୟା, ଜୁଲାଇ ୧୮ରେ ଆସିବ ପ୍ରଥମ ମେଧା ତାଲିକା

ଓଏଲ୍‌ ବ୍ୟୁରୋ: ମାଟ୍ରିକରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ୨୦୨୪-୨୫ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ପ୍ରଥମ ବର୍ଷ(ଏକାଦଶ ଶ୍ରେଣୀ)ରେ ନାମଲେଖା ପ୍ରକ୍ରିୟା ଶୁକ୍ରବାରରୁ ଆରମ୍ଭ ହେଉଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଅଧୀନ ବିଦ୍ୟାଳୟର କଳା, ବିଜ୍ଞାନ, ବାଣିଜ୍ୟ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ହେବ। ପୂର୍ବାହ୍ନ ୧୧ଟାରେ ସାମ୍‌ସ ପୋର୍ଟାଲ www.samsodisha.gov.in ରେ କମନ୍‌ ଆପ୍ଲିକେସନ ଫର୍ମ(ସିଏଏଫ୍‌) ଉପଲବ୍ଧ ହେବ। ଆଗ୍ରହୀ ଛାତ୍ରଛାତ୍ରୀ ଜୁଲାଇ ୬ ସୁଦ୍ଧା ନାମ ପଞ୍ଜୀକରଣ କରିପାରିବେ ଏବଂ ଜୁଲାଇ ୧୮ ପୂର୍ବାହ୍ନ ୧୧ଟା ୪୫ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୯ରୁ ୨୩ ମଧ୍ୟରେ ଅନୁଷ୍ଠିତ ହେବ।

ଅଗଷ୍ଟ ୧ରେ ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇବ ଏବଂ ୨ରୁ ୬ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ରିପୋର୍ଟିଂ କରିବେ। ସ୍ପଟ୍‌ ନାମଲେଖା ପାଇଁ ଅଗଷ୍ଟ ୭ ଓ ୮ରେ ଛାତ୍ରଛାତ୍ରୀଙ୍କ ପାଇଁ ଚଏସ୍‌ ଲକିଂ ସୁବିଧା ଉପଲବ୍ଧ କରାଯିବ। ଅଗଷ୍ଟ ୧୪ରେ ସ୍ପଟ୍‌ ‌ସିଲେକ୍ସନ ତାଲିକା ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଅଗଷ୍ଟ ୧୪ରୁ ୧୬ ମଧ୍ୟରେ ଅନୁଷ୍ଠିତ ହେବ। ତେବେ ନାମଲେଖା ପ୍ରକ୍ରିୟା ସରିବା ପୂର୍ବରୁ ଅଗଷ୍ଟ ୧ରୁ ଏକା‌ଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ଏଥର କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ନାମଲେଖା ଅନୁଷ୍ଠିତ ହେବ। ୨୦୨୪-୨୫ ଶିକ୍ଷାବର୍ଷରେ ରାଜ୍ୟର ୨୧୨୧ ଯୁକ୍ତ୨ କଲେଜର ୫ଲକ୍ଷ ୨୫ ହଜାର ୪୬୫ ସିଟ୍‌ରେ ନାମଲେଖା ହେବ। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୯୪ ହଜାର ୮୪୦ ସିଟ୍‌ରେ ନାମଲେଖା ହେବାକୁ ଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୬୬ହଜାର ୯୨୯, ବାଣିଜ୍ୟରେ ୪୦ହଜାର ୧୦୪, ସଂସ୍କୃତରେ ୧୩ହଜାର ୮୮ ଓ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୦ ହଜାର ୫୦୪ ସିଟ୍‌ରେ ନାମଲେଖା କରିବାକୁ ନିଷ୍ପତ୍ତି ନିଆଯାଇଛି। ଗତ ଦୁଇବର୍ଷ ହେଲା ଲକ୍ଷାଧିକ ସିଟ୍‌ ଖାଲି ପଡ଼ୁଥିବାରୁ ସେଥିପ୍ରତି ମଧ୍ୟ ଗୁରୁତ୍ବ ଦିଆଯାଇଛି।

Leave A Reply

Your email address will not be published.