ବିଜେଡିର ପରାଜୟ ପରେ ବଢୁଛି ଚର୍ଚ୍ଚା, ବଡ଼ କାରଣ କହିଲେ ଶଶିଭୂଷଣ ବେହେରା
ଓଏଲ୍ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ୍ଟ। ସରକାର ଗଢିବାକୁ ମିଳି ସାରିଛି ଜନାଦେଶ। ଓଡ଼ିଶାରେ ବିଜେପି ପାଇଁ ସରକାର ଗଢିବାକୁ ବାଟ ଫିଟିଥିବା ବେଳେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି। ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ରହିବା ସହିତ ଓଡ଼ିଶା ରାଜନୀତିର ଅପ୍ରତିଦ୍ବନ୍ଦୀ ନେତା ନବୀନ ପଟ୍ଟନାୟକ ଇସ୍ତଫା ଦେଇଛନ୍ତି। ୫ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେଇଛନ୍ତି।
ଚଳିତ ନିର୍ବାଚନରେ ବିଜେପି କ୍ଲିନ୍ ସୁଇପ୍ କରି ୭୮ ସିଟ୍ ହାତେଇ ଥିବା ବେଳେ ମାତ୍ର ୫୧ ସିଟ୍ରେ ସୀମିତ ହୋଇ ଯାଇଛି ବିଜେଡି। କଂଗ୍ରେସ ୧୪ଟି ଆସନ ହାସଲ କରିବାରେ ସକ୍ଷମ ହୋଇଛି। ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ପରାଜୟର ସ୍ୱାଦ ଚାଖିଛନ୍ତି। ହିଞ୍ଜିଳି ଓ କଣ୍ଟାବାଞ୍ଝିରୁ ମଇଦାନକୁ ଓହ୍ଲାଇଥିବା ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଝି ଆସନରେ ଜନମତ ହାସଲ କରିବାରେ ସମର୍ଥ ହୋଇ ପାରି ନାହାନ୍ତି। ହିଞ୍ଜିଳି ଆସନରୁ ବିଜୟୀ ହୋଇଛନ୍ତି। ହେଲେ ବିଜୁ ଜନତା ଦଳର ପରାଜୟର କାରଣ କଣ ହୋଇପାରେ ବୋଲି ଚର୍ଚ୍ଚା ହେଉଥିବାବେଳେ ଏନେଇ ବିଜୁ ଜନତା ଦଳର ବରିଷ୍ଠ ନେତା ବଡ଼ ବୟାନ ଦେଇଛନ୍ତି।
ବରିଷ୍ଠ ବିଜେଡି ନେତା ତଥା କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ବରିଷ୍ଠ ନେତାଙ୍କୁ ଦୂରେଇ ରଖିବା ପରାଜୟର ବଡ଼ କାରଣ। କାହିଁକି ପରାଜୟ ହେଲା, ସେ ନେଇ ଦଳ ସମୀକ୍ଷା କରିବ। ବରିଷ୍ଠ ନେତାଙ୍କୁ ନିର୍ବାଚନ ପରିଚାଳନାରୁ ଦୂରେଇ ରଖିବା ମୁଖ୍ୟ କାରଣ। ବରିଷ୍ଠଙ୍କୁ ଦୂରେଇ ରଖାଯିବା ସାଧାରଣରେ ଗ୍ରହଣୀୟ ହୋଇପାରିଲା ନାହିଁ ବୋଲି ବରିଷ୍ଠ ବିଜେଡି ନେତା ଶଶିଭୂଷଣ ବେହେରା କହିଛନ୍ତି।