ଆଜି ବସିବ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ କ୍ୟାବିନେଟ ବୈଠକ!
ଓଏଲ୍ ବ୍ୟୁରୋ: “ମୁଁ ଶ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି, ଈଶ୍ୱରଙ୍କ ନାଁରେ ଶପଥ କରୁଛି…। ୨୦୧୪ ମେ’ ୨୬, ୨୦୧୯ ମେ’ ୩ ପରେ, ୨୦୨୪ ଜୁନ୍ ୯ ତାରିଖରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଏଭଳି ଢଙ୍ଗରେ ଲଗାତାର ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ପ୍ରାୟ ୬ ଦଶନ୍ଧି ପରେ, ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ଏହା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ପ୍ରଥମ କ୍ୟାବିନେଟ୍ ବୈଠକ। ଦିଲ୍ଲୀରେ ସନ୍ଧ୍ୟା ୫ଟାରେ ବସିବ ପ୍ରଥମ କ୍ୟାବିନେଟ ବୈଠକ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିବ।
ସୂଚନା ଅନୁସାରେ, ମୋଦିଙ୍କ ସହିତ ନୂଆ ମେଣ୍ଟ ସରକାରର ୭୧ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଥିବା ବେଳେ ୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ଐତିହାସିକ ଶପଥ ସମାରୋହରେ ୭୩ ବର୍ଷୀୟ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇଥିଲେ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ ରାଜନାଥ ସିଂହ, ଅମିତ ଶାହ ଓ ନୀତିନ ଗଡକରୀ ଶପଥ ନେଇଥିଲେ। ଏହାପରେ ଜେପି ନଡ୍ଡା, ଶିବରାଜ ସିଂହ ଚୌହାନ, ନିର୍ମଳା ସୀତାରମଣ, ଏସ୍ ଜୟଶଙ୍କର ଓ ମନୋହର ଲାଲ ଖଟ୍ଟର ଶପଥ ଗ୍ରହଣ କରିଥିଲେ। ଖଟ୍ଟରଙ୍କ ପରେ ଏନ୍ଡିଏ ସହଯୋଗୀ ଦଳର ପ୍ରଥମ ନେତା ଭାବେ ଏଚ୍ଡି କୁମାରସ୍ବାମୀ ଶପଥ ଗ୍ରହଣ କରିଥିଲେ। ଏହାପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘନିଷ୍ଠ ସହଯୋଗୀ ଜନତା ଦଳ (ୟୁନାଇଟେଡ୍) ନେତା ଲଲନ ସିଂହ ମଧ୍ୟ ଶପଥ ଗ୍ରହଣ କରିଥିଲେ। ଏହାପରେ ପୀୟୂଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ଜିତନ ରାମ ମାଝୀ, ରାଜୀବ ରଂଜନ ସିଂହ, ସର୍ବାନନ୍ଦ ସୋନୋୱାଲ, ବୀରେନ୍ଦ୍ର କୁମାର, ରାମ ମୋହନ ନାଇଡୁ, ପ୍ରହ୍ଲାଦ ଯୋଶୀ, ଜୁଏଲ ଓରାମ ଏବଂ ଅଶ୍ବିନୀ ବୈଷ୍ଣବ ପ୍ରମୁଖ ଶପଥ ନେଇଥିଲେ।