ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ
ଓଏଲ୍ ବ୍ୟୁରୋ: ଓଡ଼ିଶାର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଚରଣ ମାଝୀ। ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଆଜି ଅପରାହ୍ନରେ ଶପଥ ନେବେ ମୋହନ ଚରଣ ମାଝୀ। ସବୁଠୁ ବଡ଼କଥା ହେଲା ସରପଞ୍ଚରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ମୋହନ ମାଝୀ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏଥିସହିତ ପ୍ରଥମ ଥର ପାଇଁ ଓଡ଼ିଶାରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ। ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂଦେଓ ଓ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।
ଆଜିର ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ଉପସ୍ଥିତ ରହିବେ। ଏଥିସହିତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ସାମିଲ ହୋଇ ପାରନ୍ତି ବୋଲି ସୂଚନା ରହିଛି। ଏଥିସହିତ ଆଉ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ବୋଲି ସୂଚନା ରହିଛି।
ଗତକାଲି ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜର ପ୍ରଥମ ସମ୍ବୋଧନରେ କହିଥିଲେ, ଓଡ଼ିଶା ବାସୀ ଯେଉଁ ଆଶା ଆକାଂକ୍ଷା ନେଇ ୨୪ ବର୍ଷର ସରକାରକୁ ବଦଳାଇଛନ୍ତି ଏବଂ ଓଡ଼ିଶାର ବିକାଶ ପାଇଁ ବିଜେପି ପ୍ରତି ଆସ୍ଥା ପ୍ରକଟ କରିଛନ୍ତି, ଆଗାମୀ ଦିନରେ ବିଜେପି ତାହାକୁ ନିଶ୍ଚିତ ରୂପେ ପୂରଣ କରିବ। ଏଥିସହ ଓଡ଼ିଶାକୁ ଭାରତର ୧ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ସଂକଳ୍ପ ନେଉଛି ବୋଲି କହିଛନ୍ତି ମୋହନ ମାଝୀ।