ସରିଲା ଲୋକସଭା, ଆରମ୍ଭ ହେଲା ରାଜ୍ୟସଭା ରାଜନୀତି
ଓଏଲ୍ ବ୍ୟୁରୋ: ସରିଲା ଲୋକସଭା ନିର୍ବାଚନ। ଆରମ୍ଭ ହେଲା ରାଜ୍ୟସଭା ନିର୍ବାଚନ ରାଜନୀତି। ରାଜ୍ୟସଭାର ୧୦ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ରାଜ୍ୟସଭାରେ ୧୦ଟି ପଦବୀ ଖାଲି ପଡ଼ିଛି। ଏହାକୁ ନଜରରେ ରଖି ରାଜ୍ୟସଭା ସଚିବାଳୟ ଖାଲି ପଡ଼ିଥିବା ଆସନ ପାଇଁ ଜାରି କରିଛି ବିଜ୍ଞପ୍ତି।
୧୦ଟି ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି (ବିଜେପି)ର ୭ଟି, କଂଗ୍ରେସର ୨ଟି ଓ ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି) ପାଖରେ ଗୋଟିଏ ଆସନ ଥିଲା। ବିହାର, ମହାରାଷ୍ଟ୍ର ଓ ଆସାମରୁ ୨ଟି ଲେଖାଏଁ ଆସନ ଖାଲି ପଡ଼ିଥିବା ବେଳେ ରାଜସ୍ଥାନ, ତ୍ରିପୁରା, ହରିୟାଣା ଓ ମଧ୍ୟପ୍ରଦେଶରୁ ଗୋଟିଏ ଲେଖାଏଁ ଆସନ ଖାଲି ପଡ଼ିଛି।ଉକ୍ତ ୧୦ଟି ଆସନ ବ୍ୟତୀତ କେରଳର ୩ ସାଂସଦ ଜୁଲାଇ ପହିଲାରେ ଅବସର ନେବାକୁ ଯାଉଛନ୍ତି ଏବଂ ଏହି ଆସନ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ଓ କେରଳ କଂଗ୍ରେସ (ମଣି) ହାତରେ ଗୋଟିଏ ଲେଖାଏଁ ଆସନ ଅଛି। ଜୁଲାଇ ମଧ୍ୟଭାଗରେ ୪ ଜଣ ମନୋନୀତ ସଦସ୍ୟ ବି ଅବସର ନେବେ। ସେମାନେ ହେଲେ ମହେଶ ଜେଠମାଲାନୀ, ରାମ ଶକଲ, ରାକେଶ ସିହ୍ନା ଓ ସୋନାଲ ମାନସିଂହ। ଏହି ୪ ଜଣ ପ୍ରାର୍ଥୀ ହେବା ପରେ ବିଜେପିରେ ଯୋଗ ଦେଇଥିଲେ।