Odisha Link
Bridging the Missing Links in Odisha

ଆଜି ପହିଲି ରଜ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ଗଣପର୍ବ ରଜ। ଓଡ଼ିଶାର ଗଣପର୍ବ ପାଇଁ ଉତ୍ସବମୁଖର ଗାଁଠୁ ସହର। ଜ୍ୟେଷ୍ଠ ମାସ ଶେଷ ଓ ଆଷାଢର ପହିଲି ପୁଲକରେ ଆସିଛି ରଜ ପର୍ବ। ଆଷାଢର ପ୍ରଥମ ଜଳରେ ମାଟି ମା ହୋଇଛି ରଜସ୍ୱଳା। ଏଥିପାଇଁ ଏହିଦିନ କୃଷି କାର୍ଯ୍ୟ ନିଷେଧ କରାଯାଇଥାଏ। ଏହି ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି।

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ୍ସରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ସେ ଲେଖିଛନ୍ତି, ଗଣପର୍ବ ରଜ ଉପଲକ୍ଷେ ପ୍ରିୟ ଦେଶବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି । ମାଟି ଓ ମେଘକୁ ସମ୍ମାନ ଜଣାଇ ପିଠା, ମିଠା, ପାନ ଓ ଦୋଳି ଖେଳ ମାଧ୍ୟମରେ ଓଡ଼ିଶାର ଜନସାଧାରଣ ଏହି ପର୍ବକୁ ହର୍ଷୋଲ୍ଲାସ ସହିତ ପାଳନ କରନ୍ତି । କୃଷିଭିତ୍ତିକ ଏହି ରଜ ପର୍ବ ଅବସରରେ ମୁଁ ରାଜ୍ୟ ତଥା ଦେଶବାସୀଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଅଛି।

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ରଜ ଶୁଭେଚ୍ଛା ଜଣାଇଛନ୍ତି। ପହିଲି ରଜ ଉପଲକ୍ଷେ ଓଡ଼ିଶା ବାସୀଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ସାଦର ଅଭିନନ୍ଦନ I ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏହି ଅନନ୍ୟ ଗଣ ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେଉ ବୋଲି ଶୁଭେଚ୍ଛା ଜଣାଇଛନ୍ତି।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରଜର ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ‘ରଜ’ ଉପଲକ୍ଷେ ହାର୍ଦ୍ଦିକ ଶୁଭକାମନା। ରଜ ଆମ ଓଡ଼ିଆ ଅସ୍ମିତାର ଅନନ୍ୟ ପରିଚୟ। ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜା କରିବା ଏବଂ ସମ୍ମାନ ଜଣାଇବାର ସ୍ୱତନ୍ତ୍ର ପରମ୍ପରା। ପ୍ରକୃତି ସହ ଯୋଡ଼ିହେବାର ଏହି ମହାନ ପରମ୍ପରା ସମାଜରେ ଭାଇଚାରାକୁ ଆହୁରି ସୁଦୃଢ଼ କରୁ, ଏହା କାମନା ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

Leave A Reply

Your email address will not be published.