ସିକ୍କିମ୍ରେ ଭୂସ୍ଖଳନ: ଗଲାଣି ୯ ଜୀବନ, ଉଦ୍ଧାର ହେଲେଣି ୧୨୦୦ ପର୍ଯ୍ୟଟକ

ଓଏଲ୍ ବ୍ୟୁରୋ: ସିକ୍କିମରେ ଭୂସ୍ଖଳନ ଯୋଗୁଁ ଦେଶ ତଥା ବିଦେଶର ଅନେକ ପର୍ଯ୍ୟଟକ ବିଭିନ୍ନ ସ୍ଥାନରେ ଫସି ଯାଇଥିଲେ। ଲଗାତାର ଖରାପ ପାଗ କାରଣରୁ ଫସି ରହିଥିବା ସମସ୍ତ ପର୍ଯ୍ୟଟକଙ୍କୁ ହେଲିକପ୍ଟର ଦ୍ୱାରା ଉଦ୍ଧାର କାର୍ଯ୍ୟ ସମ୍ଭବ ନଥିଲା। କିନ୍ତୁ ଭାରତୀୟ ସେନା ପକ୍ଷରୁ ରେସ୍କ୍ୟୁ ଅପରେସନ ଜାରି କରାଯାଇଥିଲା। ଏହା ଅନ୍ତର୍ଗତ ମଙ୍ଗଳବାର ପ୍ରାୟ ୧୨୦୦ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଖବର ସାମ୍ନାକୁ ଆସିଛି।
ଅନ୍ୟପଟେ, ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯିବା ପରେ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ପାଇଁ ସିକ୍କିମ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ବିଆରଓ, ଏନଡିଆରଏଫ୍, ଏସଡିଆରଏଫ୍ ଏବଂ ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ କରିଛନ୍ତି ଉଦ୍ଧାର ହୋଇଥିବା ପର୍ଯ୍ୟଟକ। ତେବେ ରେସ୍କ୍ୟୁ ଅଭିଯାନ ସମୟରେ ପର୍ଯ୍ୟଟକଙ୍କ ପାଇଁ ଭୋଜନ ବ୍ୟବସ୍ଥା ସହ ପ୍ରଥମିକ ଚିକିତ୍ସା ସୁବିଧା ପ୍ରଦାନ କରାଯାଇଥିଲା।