ଦୁଇ ସପ୍ତାହରେ ଭାଙ୍ଗିଲାଣି ୧୦ଟି ପୋଲ, ସୁପ୍ରିମକୋର୍ଟରେ ମାମଲା
ଓଏଲ୍ ବ୍ୟୁରୋ: ବିହାରରେ ବର୍ଷା ଋତୁ ଆରମ୍ଭରୁ ଗୋଟିଏ ପରେ ଗୋଟିଏ ପୋଲ ଭୁଶୁଡ଼ିବାରେ ଲାଗିଛି। ବର୍ଷା ପୂର୍ବରୁ କିଛି ପୋଲ ଭାଙ୍ଗିଥିଲା। ଏବେ ବର୍ଷା ହେବା କାରଣରୁ ବି ପୋଲ ଭାଙ୍ଗୁଛି। ଏଭଳିକି ଦିନରେ ୫ଟି ପୋଲ ଭାଙ୍ଗିଥିବା ଖବର ସାମ୍ନାକୁ ଆସିଛି। ବୁଧବାର ଜନତା ବଜାରରେ ଥିବା ପୋଲ ଭାଙ୍ଗିଥିବା ଚର୍ଚ୍ଚା ଥମି ନଥିବା ବେଳେ ଆଜି ଛପରାରେ ଗୋଟିଏ ପୋଲ ଭାଙ୍ଗିଛି। ଯାହା ରାଜ୍ୟ ରାଜନୀତିକୁ ଉଷ୍ମ କରିଛି। ସବୁଠୁ ବଡ଼କଥା ହେଲା ୧୫ ଦିନ ମଧ୍ୟରେ ବିହାରରେ ୧୦ଟି ପୋଲ ଭାଙ୍ଗି ସାରିଲାଣି। ଏବେ ଏହି ମାମଲା ସୁପ୍ରିମକୋର୍ଟରେ ପହଁଞ୍ଚିଛି। କେନ୍ଦ୍ରମନ୍ତ୍ରୀ ଜିତନରାମ ମାଝି ଏହାର ତଦନ୍ତ କରିବା ପାଇଁ କହିଛନ୍ତି।
ଛପରାର ବନିୟପୁରରେ ଭାଙ୍ଗିଥିବା ପୋଲ ସତୁଆ ଓ ସରେୟା ପଞ୍ଚାୟତକୁ ଯୋଡ଼ୁଥିବା ଗ୍ରାମୀଣ ପୋଲ ଅଟେ। ଯାହାର ନିର୍ମାଣ ୨୦୧୯ ମସିହାରେ ହୋଇଥିଲା। ଆଉ ବ୍ୟୟ ଅଟକଳ ୭.୫ ଲକ୍ଷ ଟଙ୍କା ଥିଲା। ସେହିପରି ସାରାନର ଗ୍ରାମଗୁଡ଼ିକୁ ପଡୋଶୀ ସିୱାନ ଜିଲ୍ଲା ସହିତ ସଂଯୋଗ କରୁଥିବା ଗଣ୍ଡାକି ନଦୀ ଉପରେ ଥିବା ୧୫ ବର୍ଷ ପୁରୁଣା ସେତୁ ଭୁଶୁଡ଼ି ଯାଇଛି। ହେଲେ ଏଥିରେ କାହାରି କିଛି କ୍ଷୟକ୍ଷତି ହୋଇନାହିଁ। ତେବେ ସେତୁ ଭୁଶୁଡ଼ିବା ପଛର କାରଣ ଜାଣିବାକୁ ଅନୁସନ୍ଧାନ ଜାରି ରହିଛି।
ଜରୁରୀକାଳୀନ ମରାମତି ଆବଶ୍ୟକ କରୁଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟର ସମସ୍ତ ପୁରୁଣା ପୋଲ ଉପରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦେବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଛି।