ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ୋକ୍ତି, କହିଲେ-ଖୁବ୍ଶୀଘ୍ର ସମାଧାନ ହେବ ଆଳୁ ସମସ୍ୟା
ଓଏଲ୍ ବ୍ୟୁରୋ: ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଥିବାବେଳେ ଖୁଚୁରା ବଜାରରେ ଆଳୁ ଦର କିଲୋଗ୍ରାମ୍ ପିଛା ୫୦-୬୦ ଟଙ୍କାରେ ପହଞ୍ଚିଚି। ପଶ୍ଚିମବଙ୍ଗରୁ ଆଳୁ ଟ୍ରକ୍ ନ ଆସିବାରୁ ଉତ୍ତରପ୍ରଦେଶରୁ ଆଳୁ ଟ୍ରକ୍ ଆସିବ ବୋଲି ବିଭାଗୀୟ ମନ୍ତ୍ରୀ କହିଥିଲେ। ହେଲେ ଉତ୍ତରପ୍ରଦେଶରୁ ମଧ୍ୟ ଟ୍ରକ୍ ଆସି ନ ଥିଲା। ଫଳରେ ଦର ବଢିଚାଲିଥିଲା। ଆଳୁ ଟ୍ରକ୍ ଆସିବା ସ୍ୱାଭାବିକ ହୋଇ ନଥିବାରୁ ଗୋଦାମ ଖାଲି ପଡିଥିଲା। ରାଜ୍ୟ ସରକାର ଉତ୍ତରପ୍ରଦେଶର ସରକାରଙ୍କଠାରୁ ମାଗିଥିବା ଆଳୁ ଏପର୍ଯ୍ୟନ୍ତ ପହଞ୍ଚିନାହିଁ। ଉତ୍ତରପ୍ରଦେଶ ଟ୍ରକ୍କୁ ଅପେକ୍ଷା କରାଯାଇଛି। ଉତ୍ତରପ୍ରଦେଶରୁ ଆଳୁ ଟ୍ରକ୍ ଆସିଲେ ଆଳୁ ଦର ପୁଣି କମିବାର ସମ୍ଭାବନା ରହିଛି।
ରାଜ୍ୟରେ ଆଳୁ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆଳୁ ସମସ୍ୟାର ଖୁବ୍ଶୀଘ୍ର ସମାଧାନ କରାଯିବ। ଅନ୍ୟପଟେ, ଗତ ଗୁରୁବାର ଭୁବନେଶ୍ବରର ଆଇଗିଣିଆସ୍ଥିତ କୁବେରପୁରୀ ଆଳୁ ଗୋଦାମରେ ପଶ୍ଚିମବଙ୍ଗରୁ ୫ ଟ୍ରକ୍ ଆଳୁ ଆସି ପହଞ୍ଚିଛି। ଫଳରେ ଏବେ ଆଳୁ ଦର କମିବାର ଆଶା ଦେଖାଦେଇଛି। ହେଲେ କଟକ ଛତ୍ରବଜାରରେ ଆଳୁ କେଜି ୬୦ ଟଙ୍କା ରହିଛି। ଦିନେ ଦୁଇ ଦିନ ମଧ୍ୟରେ ସମସ୍ୟା ସମାଧାନ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏହା ସହ ଆତଙ୍କିତ ନହେବାକୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଖାଉଟିଙ୍କୁ ପରାମର୍ଶ ଦେଇଛନ୍ତି।