ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀଙ୍କ ୧୦ ଫ୍ଲାଟ୍, ଦେଢ଼ କେଜି ସୁନା ଠାବ
ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୂର୍ବତନ ମୁଖ୍ୟଯନ୍ତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର ଆଣ୍ଡ ବି ବିଭାଗର ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ଟିମ୍ର ଚଢ଼ାଉ। ଭୁବନେଶ୍ବର, କଟକ, ଝାରସୁଗୁଡ଼ାର ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି।
ଭିଜିଲାନ୍ସ ପକ୍ଷରୁ ମିଳିିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ନୟାପଲ୍ଲୀର ଅର୍ପଣ ଆପାର୍ଟମେଣ୍ଟରେ ଥିବା ଘର, ଖଣ୍ଡଗିରି କସମୋପଲିସରେ ଥିବା ଫ୍ଲାଟ୍, ଝାରସୁଗୁଡ଼ା ଆସିଆନା ଆପାର୍ଟମେଣ୍ଟରେ ଥିବା ୩ଟି ଫ୍ଲାଟ୍, କଟକ ଆଠଗଡ଼ରେ ଥିବା ପୈତୃକ ଘର ଓ ତିଗିରିଆରେ ରହୁଥିବା ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଇଛି। ଚଢ଼ାଉ ବେଳେ ଭୁବନେଶ୍ୱର ଆପାର୍ଟମେଣ୍ଟରୁ ପୁଳାପୁଳା ସୁନା ଓ ହୀରା ଗହଣା ଜବତ କରିଛି ଭିଜିଲାନ୍ସ। ସୁନାର ଠାକୁରଙ୍କୁ ବି ଜବତ କରିଛି ଭିଜିଲାନ୍ସ।
ସୂଚନାଥାଉକିଳ ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଏହାପରେ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସ ରେଡ୍ କରିଛି। ଏହି ଚଢାଉରେ ୧୨ ଜଣ ଡିଏସପି, ୧୨ ଜଣ ଇନ୍ସପେକ୍ଟର, ୧୬ ଜଣ ଏଏସ୍ଆଇ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି।
ଏପର୍ଯ୍ୟନ୍ତ ମିଳିଥିବା ସୂଚନା ମୁତାବକ, ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଅମାପ ସମ୍ପତ୍ତି ଠାବ ହୋଇଛି। ଭୁବନେଶ୍ବରରେ ୭ଟି ଓ ଝାରସୁଗୁଡ଼ାରେ ରହିଛି ୩ଟି ଫ୍ଲାଟ। ୨.୭ କୋଟିର ବ୍ୟାଙ୍କ ଜମା ରାଶି ଠାବ ହୋଇଥିବା ବେଳେ ପ୍ରାୟ ଦେଖ କେଜି ସୁନା ଠାବ ହୋଇଛି।
ଏଥିସହିତ ଘରୁ ୬ ଲକ୍ଷ ଟଙ୍କା, ମର୍ସଡିଜ୍ ସମେତ ୨ଟି ଦାମୀ କାର ଠାବ। ରୋଲେକ୍ସ ଭଳି ୧୩ ଲକ୍ଷର ବ୍ରାଣ୍ଡେଡ୍ ହାତ ଘଣ୍ଟା ଠାବ ହୋଇଛି। ଝିଅର ମେଡିକାଲ ଶିକ୍ଷା ପାଇଁ ୮୦ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିଛନ୍ତି।