Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ଜିଓଲୋଜିଷ୍ଟ ଅସୀମ ଅଂଶୁମାନ ନାୟକ, ଲାଞ୍ଚ ନେବା ବେଳେ ପଡ଼ିଲେ ଧରା

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ତଳ ଜଳ ବିକାଶ ବିଭାଗର ବଲାଙ୍ଗିର ଡିଭିଜନର ଜିଓଲୋଜିଷ୍ଟ ଅସୀମ ଅଂଶୁମାନ ନାୟକ। ଲାଞ୍ଚ ନେଉଥିବା ସମୟରେ ମାଡ଼ିବସିଲା ଭିଜିଲାନ୍ସ। ତାଙ୍କଠାରୁ ନଗଦ ୪୦ ହଜାର ଟଙ୍କା ଜବତ କରାଯାଇଛି।

ଜଣେ କନ୍‌ସଲଟାଣ୍ଟଙ୍କ କନସଲଟାନ୍ସି ଫି’ ପ୍ରଦାନ କରିବାକୁ ଜିଓଲୋଜିଷ୍ଟ ଅସୀମ ଅଂଶୁମାନ ନାୟକ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହେଲେ ସେ ଦେଇ ନଥିଲେ। ୫୦ ହଜାର ନଦେଲେ ଫି’ ରିଲିଜ୍ କରିବେ ନାହିଁ ବୋଲି ଶ୍ରୀ ନାୟକ ତାଙ୍କୁ କହିଥିଲେ। ଫାଇଲ କାମ ଆଗକୁ ବଢ଼ାଇବାକୁ ଶ୍ରୀ ନାୟକ ପ୍ରଥମ କିସ୍ତିରେ ୧୦ ହଜାର ଟଙ୍କା ମାଗିଥିଲେ। କିଛି ଦିନ ତଳେ ତାଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ ଉକ୍ତ କନସଲଟାଣ୍ଟ। ତଥାପି କାମ ନ ଆଗେଇବାରୁ ନିର୍ଯାତିତ ହେଉଥିବା ଅନୁଭବ କରି ସେ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ।

ଭିଜିଲାନ୍ସ ଟିମ୍‌ର ଯୋଜନା ଅନୁଯାୟୀ ଆଜି ଜିଓଲୋଜିଷ୍ଟ ଶ୍ରୀ ନାୟକଙ୍କୁ ବାକି ୪୦ ହଜାର ଟଙ୍କା ଦେଇଥିଲେ ଅଭିଯୋଗକାରୀ। ସେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ ଓ ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଥିଲେ।

ଅନ୍ୟପଟେ, ଭିଜିଲାନ୍ସ ପକ୍ଷରୁ ଜିଓଲୋଜିଷ୍ଟ ଶ୍ରୀ ନାୟକଙ୍କ ବଲାଙ୍ଗିରର ଜ୍ୟୋତିନଗରପଡ଼ା ସ୍ଥିତ ଭଡ଼ା ଘରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ଭିଜିଲାନ୍ସକୁ ନଗଦ ୧ ଲକ୍ଷ ୬୮ ହଜାର ଟଙ୍କା ମିଳିଥିବା ଜଣାପଡ଼ିଛି।

Leave A Reply

Your email address will not be published.