ସାହସିକତା ପୁରସ୍କାର ଘୋଷଣା: ଓଡ଼ିଶାର ୧୫ ଜଣଙ୍କୁ ପୁଲିସ ପଦକ
ଓଏଲ୍ ବ୍ୟୁରୋ: ଆସନ୍ତାକାଲି ସାରା ଦେଶ ପାଳନ କରିବ ୭୮ତମ ସ୍ବାଧୀନତା ଦିବସ। ଏହାର ଦିନକ ପୂର୍ବରୁ ସ୍ବାଧୀନତା ଦିବସ ୨୦୨୪ ଅବସରରେ ସାହସିକତା ଏବଂ ସେବା ପଦକ ପାଇଁ ପୁଲିସ, ଫାୟାର ବ୍ରିଗେଡ, ହୋମଗାର୍ଡ ଏବଂ ସିଭିଲ ଡିଫେନ୍ସ ଏବଂ ସଂଶୋଧନ ସେବା ବିଭାଗର ମୋଟ ୧୦୩୭ କର୍ମଚାରୀ ଚୟନ କରାଯାଇଛି। ଗୃହ ମନ୍ତ୍ରଣାଳୟ ବୁଧବାର ସ୍ବାଧୀନତା ଦିବସ ୨୦୨୪ ଅବସରରେ ସମ୍ମାନଜନକ ସେବା ପାଇଁ ତାଲିକା ପ୍ରକାଶ କରିଛି। ୧୫ ଅଗଷ୍ଟ ଅବସରରେ ସମସ୍ତଙ୍କୁ ପୁରସ୍କାର ପ୍ରଦାନ କରାଯିବ। ସବୁଠୁ ବଡ଼କଥା ହେଲେ ଏଥିରୁ ୧୫ ଜଣ ଓଡ଼ିଶା ପୁଲିସର କର୍ମଚାରୀ ପୁରସ୍କୃତ ହେବେ।
ଉତ୍କୃଷ୍ଟ ସେବା ପାଇଁ ଓଡ଼ିଶାର ୧୩ ପୁଲିସଙ୍କୁ ପଦକ ମିଳିବାକୁ ଥିବାବେଳେ ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ମିଳିବ। ସେହିପରି ଏଡଜି ସୁରେଶ ଦେବ ଦତ୍ତ ସିଂହ ଓ ଡିଜିପି ସଚ୍ଚିଦାନନ୍ଦ ରଥଙ୍କୁ ମିଳିବ ରାଷ୍ଟ୍ରପତି ପଦକ।
୧୦୩୭ ଜଣଙ୍କ ମଧ୍ୟରୁ ଜଣଙ୍କୁ ରାଷ୍ଟ୍ରପତି ସାହସିକତା ପଦକ ପ୍ରଦାନ କରାଯିବ। ସେ ହେଉଛନ୍ତି ତେଲେଙ୍ଗାନା ପୁଲିସ ବିଭାଗ ମୁଖ୍ୟ କନଷ୍ଟେବଳ ଚଡୁଭୁ ୟାଦାୟା। ଏହା ବ୍ୟତୀତ ୨୧୩ ଜଣଙ୍କୁ ସାହସିକତା ପଦକ, ୯୪ଜଣଙ୍କୁ ପ୍ରଖ୍ୟାତ ସେବା ପଦକ, ୭୨୯ ଜଣଙ୍କୁ ଗୁଣବତ୍ତାସମ୍ପନ୍ନ ସେବା ପଦକ ପ୍ରଦାନ କରାଯିବ। ଏଥିରେ ପୁଲିସ ସେବାକୁ ୨୦୮, ଅଗ୍ନିଶମ ସେବାକୁ ୪, ହୋମ ଗାର୍ଡ ଏବଂ ସିଭିଲ ଡିଫେନ୍ସକୁ ୨୦୮ ପଦକ ପ୍ରଦାନ କରାଯିବ। ଏଥର ରାଷ୍ଟ୍ରପତି ପଦକ ପାଇଁ ଗ୍ୟାଲେଣ୍ଟ୍ରି (ପିଏମଜି) ପଦକ ୧ ଏବଂ ଗାଲେଣ୍ଟ୍ରି (ଜିଏମ) ପଦକ ୨୧୩ କର୍ମଚାରୀଙ୍କୁ ପ୍ରଦାନ କରାଯିବ।