Odisha Link
Bridging the Missing Links in Odisha

ହନି ଟ୍ରାପ୍‌ରେ ଫସିଛନ୍ତି କି ଟେଲିଗ୍ରାମ ସିଇଓ ? ପୂର୍ବରୁ ଥିଲା ୧୨ଟି ମାମଲା, ଏବେ ପ୍ରେମିକା ଫେରାର

ଓଏଲ୍‌ ବ୍ୟୁରୋ: ମେସେଜିଙ୍ଗ ଆପ୍‌ ଟେଲିଗ୍ରାମର ସିଇଓ ପାଭେଲ୍‌ ଦୁରୋଭ୍‌ଙ୍କ ଗିରଫଦାରୀକୁ ୪ ଦିନ ବିତି ସାରିଲାଣି। ଗିରଫ ପରେ ବି ଦିନକୁ ଦିନ ରହସ୍ୟ ଉପରୁ ପରାଦ ଉଠି ପାରୁନି। ଦୁରୋଭ୍‌ଙ୍କ ଗିରଫ ଏତେ ସହଜ ନଥିଲା। ଗିରଫକୁ ସଫଳ କରାଇଥିବା ‘ରହସ୍ୟମୟୀ’ ଜୁଲି ଭାଭିଲୋଭା (୨୪)ଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏବେ ଜୁଲି କୁଆଡ଼େ ଗଲା ତାକୁ ନେଇ ଚାଲିଛି ତଦନ୍ତ। ପୂର୍ବରୁ ଦୁରୋଭ୍‌ଙ୍କ ନାମରେ ୧୨ଟି ମାମଲା ଥିଲା। ୪ ମାସ ତଳେ ଡୁରୋଭ୍‌ଙ୍କ ସମ୍ପର୍କରେ ଆସିଥିଲେ ଜୁଲି, ଏବେ ସେ ରହସ୍ୟମୟୀ ଜୁଲି କେଉଁଠି କାହାକୁ ବି ଜଣା ନାହିଁ।

ଶନିବାର ଦୁରୋଭ୍‌ଙ୍କ ଘରୋଇ ବିମାନ ପାରିସ୍‌ ନିକଟସ୍ଥ ଲେ ବୋରଗେଟ୍‌ ବିମାନବନ୍ଦରରେ ଅବତରଣ କରିବା ପରେ ସେଠାରେ ଅପେକ୍ଷା କରିରହିଥିବା ପୁଲିସ କର୍ମୀ ତାଙ୍କୁ ଗିରଫ କରିଥିଲେ। ଦୁରୋଭ୍‌ଙ୍କ ଗିରଫ ପୂର୍ବରୁ ସାମାଜିକ ଗଣମାଧ୍ୟମରେ ଦୁରୋଭ୍‌ ଓ ଜୁଲିଙ୍କ ଏକାଧିକ ଫଟୋ ପ୍ରସାରିତ ହୋଇଥିଲା। ଉଭୟେ, ଅଗଷ୍ଟ ୨୧ରେ ଆଜେରବାଇଜାନ୍‌ ଗସ୍ତ କରିଥିଲେ। ଯଦିଓ ଦୁଇଜଣ ଭିନ୍ନ ଭିନ୍ନ ଭାବେ ଆଜେରବାଇଜାନ୍‌ ଗସ୍ତ କରିଥିଲେ, ତେବେ ଦୁରୋଭ୍‌ ଯେଉଁଯେଉଁ ପର୍ଯ୍ୟଟନ ସ୍ଥଳୀ, ହୋଟେଲ୍‌ ଆଦିକୁ ଯାଇଥିଲେ ଠିକ୍‌ ସେହି ସ୍ଥାନରେ ଠିଆ ହୋଇ ଜୁଲି ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ।

ଘ‌ରୋଇ ଗୁଇନ୍ଦା ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଯଦିଓ ଉଭୟଙ୍କ ଏକତ୍ରିତ ଫଟୋ ସାମାଜିକ ଗଣମାଧ୍ୟମରେ ନାହିଁ, କିନ୍ତୁ ଯେକୌଣସି ଗୁଇନ୍ଦା ସଂସ୍ଥା ଏଥିରୁ ସହଜରେ ଜୁଲିଙ୍କ ଫଟୋକୁ ଟ୍ରାକ୍‌ କରି ଦୁରୋଭ୍‌ଙ୍କ ଗତିବିଧି ଉପରେ ନଜର ରଖିପାରିବ। ଏହି ଫଟୋଗୁଡ଼ିକ ଜାଣିଶୁଣି ସାମାଜିକ ଗଣମାଧ୍ୟମରେ ସେୟାର କରାଯାଇଥିଲା। ଏହାଦ୍ବାରା ଡୁରୋଭ୍‌ଙ୍କ ସଠିକ୍‌ ଠିକଣା (ଲୋକେସନ୍‌) ‌ସୁରକ୍ଷାକର୍ମୀଙ୍କ ନିକଟରେ ପହଞ୍ଚିପାରିବ।

ଅପରପକ୍ଷରେ, ଜୁଲିଙ୍କ ପରିବାର କହିଛନ୍ତି, ଦୁରୋଭ୍‌ଙ୍କ ଗିରଫ ପରଠାରୁ ଜୁଲିଙ୍କ ସହ ସେମାନେ ଯୋଗାଯୋଗ କରିପାରିନାହାନ୍ତି। ତାଙ୍କର ମୋବାଇଲ୍‌ ବନ୍ଦ ରହିଛି। ଦୁରୋଭ୍‌ ଓ ଜୁଲିଙ୍କ ମଧ୍ୟରେ ସମ୍ପର୍କ କିଭଳି ଗଢ଼ି ଉଠିଲା ସଂପ୍ରତି ଏକ ରହସ୍ୟ ହୋଇ ରହିଛି, କିନ୍ତୁ ଦୁରୋଭ୍‌ ଦୁବାଇରେ ରହିବା ବେଳେ ଜୁଲିଙ୍କ ସହ ସମ୍ପର୍କ ସୃଷ୍ଟି ହୋଇଥିବା ସମ୍ଭାବନା ରହିଛି। ୨୦୧୪ରେ ରୁଷ୍‌ ସରକାରଙ୍କୁ ଟେଲିଗ୍ରାମ୍‌ର ଗୁପ୍ତତଥ୍ୟ ଦେବାକୁ ଅସ୍ବୀକାର କରିବା ପରେ ତାଙ୍କର ଗିରଫ ପରୱାନା ଜାରି ହୋଇଥିଲା। ଏହାପରେ ସେ ଦୁବାଇ ପଳାୟନ କରିଥିଲେ ଏବଂ ପରେ ଫ୍ରାନ୍‌ସର ନାଗରିକତ୍ବ ଗ୍ରହଣ କରିଥିଲେ।

ଟେଲିଗ୍ରାମର ଯାତ୍ରା ଉପରେ ପକାନ୍ତୁ ନଜର:

୨୦୧୩: ପାଭେଲ୍‌ ଓ ନିକୋଲାଇ ଦୁଇ ଭାଇ ଟେଲିଗ୍ରାମ ଆରମ୍ଭ କରିଥିଲେ।
୨୦୧୪: ଦୁଇ ଭାଇ ପାଭେଲ୍‌ ଓ ନିକୋଲାଇ ଋଷ ଛାଡ଼ି ସେଣ୍ଟ କିଟସ୍‌ ଓ ନୋବିସର ନାଗରିକତା ଗ୍ରହଣ କରିଥିଲେ।
୨୦୧୫: ୬ କୋଟି ଆକ୍ଟିଭ ୟୁଜର୍ସ ଟେଲିଗ୍ରାମ ଅତିକ୍ରମ କରିଥିଲା। ଆଏସ୍‌ଆଇଏସ୍‌ ସମ୍ବନ୍ଧିତ ୭୮ଟି ଚ୍ୟାନେଲକୁ ବ୍ଲକ୍‌ କରିଥିଲା ଟେଲିଗ୍ରାମ।
୨୦୧୭: ଟ୍ରେଲିଗ୍ରାମ ଦୁବାଇରେ ସ୍ଥାୟୀ ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନା କରିଥିଲା।
୨୦୧୯: ସୁପରଗ୍ରୁପର ମେମ୍ବର ସଂଖ୍ୟା ୧୦ ହଜାରରୁ ବଢ଼ାଇ ୨ ଲକ୍ଷ କରି ଦେଇଥିଲା।
୨୦୨୧: ଡିସେମ୍ବର ୨୦୨୦ରୁ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ୧୦ କୋଟିରୁ ଅଧିକ ନୂଆ ୟୁଜର୍ସ ଟେଲିଗ୍ରାମ୍‌ ସହିତ ଯୋଡ଼ି ହୋଇଥିଲେ।
୨୦୨୨: କମ୍ପାନୀର ରେଭିନ୍ୟୁକୁ ଧ୍ୟାନରେ ରଖି ଟେଲିଗ୍ରାମ ପ୍ରିମିୟମ ଲଞ୍ଚ କରାଯାଇଥିଲା।
୨୦୨୩: କମ୍ପାନୀ ଟେଲିଗ୍ରାମ୍‌ ପ୍ରିମିୟମ ଜରିଆରେ ୩୭୦୦ କୋଟି ଟଙ୍କା ପାଇଥିଲା।
୨୦୨୪: ଟେଲିଗ୍ରାମ ୯୫ କୋଟି ମାସିକ ୟୁଜର ଗ୍ରାଫ୍‌ ପାର କରିଛି।

Leave A Reply

Your email address will not be published.