Odisha Link
Bridging the Missing Links in Odisha

ବନ୍ଧା ହେଲେ ଆପ୍‌ ବିଧାୟକ, ୬ ଘଣ୍ଟାର ଜେରା କଲା ଇଡି

ଓଏଲ୍‌ ବ୍ୟୁରୋ: ଦିଲ୍ଲୀର ଆପ୍‌ ବିଧାୟକ ଅମାନତୁଲ୍ଲା ଖାନ୍ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି। ୬ ଘଣ୍ଟାର ଜେରା ପରେ ଗିରଫ କଲା ଇଡି। ଆଜି ସକାଳ ପ୍ରାୟ ୭ଟାରେ ଇଡି ଟିମ୍ ଅମାନତୁଲ୍ଲା ଖାନଙ୍କ ଘରେ ପହଞ୍ଚିଥିଲା। ହେଲେ ସେ ୨ ଘଣ୍ଟା ପର୍ଯ୍ୟନ୍ତ ଘରର କବାଟ ଖୋଲି ନଥିଲେ। ଇଡି ବାହାରେ ଠିଆ ହୋଇ ରହିଥିଲା। ଅମାନତୁଲ୍ଲା କବାଟ ଖୋଲିବା ପରେ ଇଡି ଟିମ୍ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ନିଜେ ଅମାନତୁଲ୍ଲା ଖାନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଇଡି ଚଢ଼ାଉ ସମ୍ପର୍କରେ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଦିଲ୍ଲୀ ଓ୍ଵାକଫ ବୋର୍ଡର ଅଧ୍ୟକ୍ଷ ଥିବା ବେଳେ ଅମାନତୁଲ୍ଲା ସରକାରୀ ଗାଇଡଲାଇନକୁ ଅଣଦେଖା କରି ଚାକିରି ଦେଇଥିବା ଅଭିଯୋଗରେ ଇଡି ଚଢ଼ାଉ କରି ତାଙ୍କୁ ଗିରଫ କରିଛି। ଅମାନତୁଲ୍ଲା ଏକ୍ସରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ ତାଙ୍କୁ ଏବଂ ଆପ୍ ନେତାଙ୍କୁ ହଇରାଣ କରିବା ପାଇଁ ସମସ୍ତ ପ୍ରୟାସ ହେଉଛି। ମିଥ୍ୟା ମାମଲାରେ ଫସାଯାଉଛି। ସେମାନଙ୍କର ଲକ୍ଷ୍ୟ ହେଉଛି ଆମ ଦଳକୁ ଭାଙ୍ଗିବା। ସଚ୍ଚୋଟ ଭାବରେ ଲୋକଙ୍କ ସେବା କରିବା କ’ଣ ଅପରାଧ ବୋଲି ସେ ପ୍ରଶ୍ନ କରିଛନ୍ତି।

ଆମ୍ ଆଦମୀ ପାର୍ଟି ବିଧାୟକ ହେବା ସହ ଅମାନତୁଲ୍ଲା ଦିଲ୍ଲୀ ଓ୍ଵାକଫ ବୋର୍ଡର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ଅମାନତୁଲ୍ଲା ସଭାପତି ଥିବା ବେଳେ ଏଭଳି ୩୨ଟି ନିଯୁକ୍ତି ହୋଇଥିଲା, ଯାହା ସରକାରୀ ଗାଇଡଲାଇନକୁ ଅଣଦେଖା କରି କାମ କରିଥିବା ଅଭିଯୋଗ ହୋଇଥିଲା। ତତ୍କାଳୀନ ସିଇଓ ଏହି ବେଆଇନ ନିଯୁକ୍ତି ବିରୋଧରେ ଏକ ସ୍ମାରକପତ୍ର ଜାରି କରିବା ପରେ ଘଟଣାର ବିବାଦ ଦେଖାଦେଇଥିଲା। ଏଥିସହ ଅମାନତୁଲ୍ଲା ବୋର୍ଡର ଅନେକ ସମ୍ପତ୍ତିକୁ ବେଆଇନ ଭାବେ ଭଡ଼ାରେ ଦେଇଛନ୍ତି ବୋଲି କୁହାଯାଇଛି।

Leave A Reply

Your email address will not be published.