ବିବାହକୁ ପୂରିନି ୩ ମାସ, ଉଦ୍ଧାର ହେଲା ନବବଧୂଙ୍କ ଝୁଲନ୍ତା ମୃତଦେହ
ଓଏଲ୍ ବ୍ୟୁରୋ: ମଣିଷର ମାନସିକତା ତାକୁ କେତେବେଳେ କେଉଁ ଦିଗକୁ ନେଇଯାଏ ତାହାର କୌଣସି ଆକାର ନଥାଏ। କେତେବେଳେ କାହା ଚାପରେ ତ କେତେବେଳେ ଅପ୍ରୀତିକର ପରିସ୍ତିତିକୁ ସାମ୍ନା କରି। ତେବେ ଏଭଳି ଏକ ହୃଦୟ ବିଦାରକ ଘଟଣା ବାଲେଶ୍ବର ଖଇରା ଥାନା ତେନ୍ତଳଗଡ଼ିଆ ଗାଁରେ। ନବବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି। ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ନବବଧୂଙ୍କ ମୃତଦେହ ଉଦ୍ଧାର ହୋଇଛି। ୨ ମାସ ପୂର୍ବରୁ ବିବାହ ହୋଇଥିଲା।
ସୂଚନା ଅନୁସାରେ, ଗତ ଜୁନ ମାସ ୧୪ ତାରିଖରେ କୁପାରୀ ପଂଚାୟତ ସରପୁର ଗ୍ରାମର ସୁଦାମ ସେଠିଙ୍କ ଝିଅ ଲକ୍ଷ୍ମୀପ୍ରିୟା ସେଠି ହିନ୍ଦୁ ରୀତିନୀତି ଅନୁସାରେ ତେନ୍ତାଲ ଗଡିଆ ଗ୍ରାମର ଜଗନ୍ନାଥ ଦାସଙ୍କୁ ବାହା ହୋଇଥିଲା। ବାହାଘର କିଛି ଦିନ ଠିକ ଠାକ ଚାଲିଥିବା ବେଳେ ସ୍ୱାମୀ ଓ ଶାଶୁ ଏକ ଫ୍ରିଜ ପାଇଁ ବାରମ୍ବାର ଲକ୍ଷ୍ମୀପ୍ରିୟାକୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି। ଯୌତୁକ ପାଇଁ ଶ୍ୱଶୁର ଘର ଲୋକେ ଝିଅକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ଲକ୍ଷ୍ମୀପ୍ରିୟାଙ୍କ ପରିବାର ଲୋକେ। ଘଟଣା ନେଇ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ଆଜି ଲକ୍ଷ୍ମୀପ୍ରିୟା ଜୀବନ ହାରିଥିବା କଥା ନେଇ ଶାଶୁ ଘରର ଗ୍ରାମବାସୀ ମାନେ ଝିଅ ପରିବାରକୁ ଖବର ଦେଇଥିଲେ। ପରିବାର ଲୋକ ଆସିବା ପରେ ଜଗନ୍ନାଥ ସମେତ ପରିବାର ଲୋକ ଫେରାର ହୋଇଯାଇଥିଲେ।