ପୋଲାଭରମ୍ ପ୍ରସଙ୍ଗ: ବିଜେଡିକୁ ଟାର୍ଗେଟ କଲା ବିଜେପି, ସାଂସଦ କହିଲେ ଏଭଳି କଥା
ଓଏଲ୍ ବ୍ୟୁରୋ: ରାଜ୍ୟ ରାଜନୀତିରେ ଲାଗି ରହିଛି ପୋଲାଭରମ୍ ବିବାଦ। କେନ୍ଦ୍ରୀୟ ବଜେଟ ଉପସ୍ଥାପନା କଲା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆନ୍ଧ୍ରପ୍ରଦେଶରେ ଶୀଘ୍ର ପୋଲାଭରମ ପ୍ରକଳ୍ପ ସାରିବାକୁ ପଦକ୍ଷେପ ନିଆଯିବ ବୋଲି କହିବା ପରେ ରାଜ୍ୟ ରାଜନୀତିରେ ବିବାଦ ବଢ଼ିବାରେ ଲାଗିଛି। ଏସବୁ ଭିତରେ ପୋଲାଭରମ ପ୍ରକଳ୍ପକୁ ସବୁସ୍ତରରେ ବିରୋଧ କରାଯିବ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି। ଅନ୍ୟପଟେ ନିଜର ଦୋଷ ଲୁଚାଇବା ପାଇଁ ହୀନ ରାଜନୀତି ବିଜୁ ଜନତା ଦଳ କରୁଥିବା ନେଇ କହିଛି ଶାସକ ଦଳ ଭାରତୀୟ ଜନତା ପାର୍ଟି।
ନବରଙ୍ଗୁପର ସାଂସଦ ତଥା ବିଜେପିର ବରିଷ୍ଠ ନେତା ବଳଭଦ୍ର ମାଝି କହିଛନ୍ତି, ସରକାରରୁ ଚାଲିଗଲା ପରେ ଏବେ ବିଜେଡିର ନିଦ ଭାଙ୍ଗିଛି । ଗତ ୨୪ ବର୍ଷ ଧରି ପୋଲାଭରମ ପ୍ରକଳ୍ପ ପାଇଁ କୌଣସି ପଦକ୍ଷେପ ନନେଇ କୁମ୍ଭକର୍ଣ୍ଣ ନିଦ୍ରାରେ ବିଜେଡି ସରକାର ଶୋଇଥିଲା । ଏବେ ଚର୍ଚ୍ଚାରେ ରହିବା ପାଇଁ ଅଯଥାରେ ରାଜନୀତି କରୁଛି। ପ୍ରକଳ୍ପ ଅଂଚଳ ଗସ୍ତ କରି ସେଠାକାର ଲୋକଙ୍କୁ ଭୟଭୀତ କରି ସରକାରଙ୍କୁ ବିରୋଧ କରିବାକୁ ପ୍ରୟାସ ଚଲାଇଛି। ପୋଲାଭରମ ପ୍ରକଳ୍ପକୁ ନେଇ ନିଜର ଭୋଟ ବ୍ୟାଙ୍କ ସୃଷ୍ଟି କରିବାକୁ ଚାହୁଁଥିବା ବିରୋଧୀଙ୍କ ଆଶା କେବେ ପୂରଣ ହେବ ନାହିଁ । ବିଜେଡି ଏବେ ନିଜର ଦୋଷ ଲୁଚାଇବା ପାଇଁ ହୀନ ରାଜନୀତି କରୁଛି ବୋଲି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି କହିଛନ୍ତ ।
ସେ ଆହୁରି କହିଛନ୍ତି ଯେ, ନଦୀବନ୍ଧ ପ୍ରକଳ୍ପ କରିବା ପୂର୍ବରୁ ସର୍ବପ୍ରଥମେ ପ୍ରଭାବିତ ହେବାକୁ ଥିବା ରାଜ୍ୟଗୁଡିକର ଏନ୍ଓସି ନିଆଯାଏ । କୌଣସି ରାଜ୍ୟ ଯଦି ଏନ୍ଓସି ନଦିଅନ୍ତି, ତେବେ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରିବ ନାହଁ । ୨୦୦୦ ମସିହାରେ ଏନ୍ଡିଏ ସରକାରରେ ବିଜୁ ଜନତାଦଳର ଜଣେ ନେତା କେନ୍ଦ୍ରରେ ଜଳସମ୍ପଦ ମନ୍ତ୍ରୀ ଥିଲେ। ଏହା ପରେ ୨୦୦୪ରେ ମାଲକାନାଗିରି ସୀମାନ୍ତ ଆନ୍ଧପ୍ରଦେଶର ୱେଷ୍ଟ ଗୋଦାବରୀ ଜିଲ୍ଲାରେ ଏହାର କାର୍ଯ୍ୟ ଆରମ୍ଭ ହୋଇଥିଲା । ସେତେବେଳେ ଏହି ପ୍ରକଳ୍ପ ପାଇଁ ଏନ୍ଓସି କିପରି ଓ କିଏ ଦେଲା ବୋଲି ଶ୍ରୀ ମାଝି ପ୍ରଶ୍ନ କରିଛନ୍ତି।
କେନ୍ଦ୍ରରେ ଥିବା ତତ୍କାଳୀନ କଂଗ୍ରେସ ସରକାର ଓଡ଼ିଶାର ସ୍ୱାର୍ଥପ୍ରତି ଧ୍ୟାନ ନଦେଇ ଏହି ପ୍ରକଳ୍ପ ଉପରେ ମୋହର ମାରିଥିଲା । ୨୦୦୦-୨୦୨୪ ପର୍ଯ୍ୟନ୍ତ ରାଜ୍ୟରେ ଜଳସମ୍ପଦ ବିଭାଗ ନବୀନ ପଟ୍ଟନାୟକଙ୍କ ହାତରେ ଥିଲା । ମାତ୍ର ଏହି ପ୍ରକଳ୍ପରୁ ବନ୍ଦ କରିବା ପାଇଁ ସେ କୌଣସି ପଦକ୍ଷେପ ନନେଇ ଚୁପ୍ ବସିଥିଲେ । ତାଙ୍କର ଭୁଲ୍ ନୀତି ଯୋଗୁ ଓଡ଼ିଶାବାସୀ ଆଜି ହଇରାଣ ହେଉଛନ୍ତି । ବର୍ତମାନ ଲୋକେ ବିଜେଡିକୁ ସରକାରରୁ ହଟାଇବା ପରେ ଗତ ଅଗଷ୍ଟରେ ତାଙ୍କ ଦଳର ନେତାମାନେ ପୋଲାଭରମ୍ ପ୍ରକଳ୍ପ ଅଂଚଳ ଗ୍ରସ୍ତ କରିଛନ୍ତି । ଏହି ସମୟରେ ସେମାନେ ୨୦୨୨ ଓ ୨୦୨୪ର ବନ୍ୟା ପ୍ରସଙ୍ଗ ଉଠାଉଛନ୍ତି । ମାତ୍ର ନଦୀବନ୍ଧର ମଞ୍ଜୁରୀ ଦେବା ଉପରେ କିଛି କହୁନାହାଁନ୍ତି । ଏହାଛଡା ୨୦୦୪ ରୁ ୨୦୨୨ ପର୍ଯ୍ୟନ୍ତ ଏହି ପ୍ରକଳ୍ପକୁ ରୋକିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେ ବିଷୟରେ ମଧ୍ୟ କିଛି କହୁନାହାଁନ୍ତି । ଏବେ ବିଜେଡି ସୁପ୍ରିମକୋର୍ଟର ଜଜ୍ମେଣ୍ଟ ବିଷୟରେ କହୁଥିବାବେଳେ, ଏପର୍ଯ୍ୟନ୍ତ କଥା ଗଲା କାହିଁକି ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି।
ଅନ୍ୟପଟେ ପୋଲାଭରମ ପ୍ରକଳ୍ପକୁ ସବୁସ୍ତରରେ ବିରୋଧ କରାଯିବ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି। ଆଦିବାସୀ ଭାଇ ଭଉଣୀଙ୍କ ହକ ପାଇଁ ବିଜେଡିର ଲଢ଼େଇ ଜାରି ରହିବ ବୋଲି ଦୃଢକଣ୍ଠରେ ଘୋଷଣା କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ଆଜି ବିଜୁ ଜନତା ଦଳର ପୋଲାଭରମ ଟିମ ଗ୍ରାଉଣ୍ଡରୁ ସ୍ଥିତି ସମୀକ୍ଷା କରି ରିପୋର୍ଟ ପ୍ରଦାନ କରିବା ପରେ ଏହା କହିଛନ୍ତି ନବୀନ ପଟ୍ଟନାୟକ।
ନିର୍ମାଣାଧୀନ ପ୍ରକଳ୍ପର ଓଡିଶା ପଟର ବାସ୍ତବ ସ୍ଥିତି ସଂପର୍କରେ ନବୀନଙ୍କୁ ଅବଗତ କରାଇଛି ବିଜେଡିର ପୋଲାଭରମ ଟିମ। ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରିର ମୋଟୁ ପଞ୍ଚାୟତ ସମେତ କାଲିମେଳା ଓ ପଡ଼ିଆ ବ୍ଲକର ୨୩୬ଟି ଗାଁର ଲୋକମାନେ କ୍ଷତିଗ୍ରସ୍ତ ହେବେ। ସେମାନଙ୍କର ଭିଟାମାଟି ଓ ଜୀବିକା ଉଜୁଡି ଯିବ। ମାଲକାନଗିରି ଜିଲ୍ଲାରେ ସାଧାରଣତଃ ଅଧିକ ବର୍ଷା ହୋଇଥାଏ। ତେଣୁ ଏ ପ୍ରକଳ୍ପ ପରିସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ପ୍ରତିନିଧି ଦଳ ନବୀନଙ୍କୁ ରିପୋର୍ଟ ଦେଇଛନ୍ତି।
ରିପୋର୍ଟ ପାଇଲା ପରେ ପ୍ରକଳ୍ପକୁ ପାର୍ଲିଆମେଣ୍ଟ ଠାରୁ ଆରମ୍ଭ କରି ବିଧାନସଭା ତଥା ପଞ୍ଚାୟତସ୍ତରରେ ଦୃଢ଼ ବିରୋଧ କରିବା ପାଇଁ ନବୀନ ଆହ୍ବାନ ଦେଇଛନ୍ତି। ଆଦିବାସୀ ଭାଇଭଉଣୀମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବିଜୁ ଜନତା ଦଳ ସବୁ ବେଳେ ପ୍ରାଥମିକତା ଦେଇଆସିଛି। ଆଦିବାସୀ ଭାଇଭଉଣୀମାନଙ୍କ ହକ ପାଇଁ ବିଜୁ ଜନତା ଦଳ ତାର ଲଢ଼େଇ ଜାରି ରଖିବ ବୋଲି ନବୀନ କହିଛନ୍ତି।