୧୦୦ ଦିନର ବିଜେପି ସରକାର, ଅନୁଭୂତି ବଖାଣିଲେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଆସିଛି ବିଜେପି ସରକାର। ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ବାଧୀନ ବିଜେପି ସରକାର ୧୦୦ ଦିନ ପୂରଣ କରିଛି। ବିଜେପି ସରକାରର ୧୦୦ ଦିନ ପୂର୍ତ୍ତି ନେଇ ପୁରୀରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡାଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟ, ସଂସାଦ ଓ ବିଧାୟକ ଗଣ ଉପସ୍ଥିତ ରହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପ୍ରଗତିର ନୂତନ ସୂର୍ଯ୍ୟ ଉଦୟ ଲକ୍ଷ ନେଇ ଆଗାମୀ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ଅଭ୍ୟୁଦୟ ନେଇ ଆଜି ଏହି ବୈଠକ କରାଯାଇଛି।ଆମ ସରକାର ପ୍ରତିଶ୍ରୁତି ଦେଇଥିଲେ, ଦୁର୍ନୀତିଖୋର ବ୍ୟକ୍ତିଙ୍କୁ ଉଚିତ ଦଣ୍ଡ ମିଳିବ। ଯାହା ବର୍ତ୍ତମାନ ରାଜ୍ୟ ସରକାର କରିକି ଦେଖାଇଛନ୍ତି। ଦୁର୍ନୀତିଖୋର ସରକାରୀ ବାବୁଙ୍କ ବିରୋଧରେ ୧୦୦ ଦିନରେ ୭୧ଟି ମାମଲା ରୁଜୁ ହୋଇଛି। ୫୮ ଜଣ ଗିରଫ ହୋଇଛନ୍ତି।
ରାଜ୍ୟରେ ବିଜେପି ସରକାର ଗଠନ କରିବାର ମାତ୍ର ୧୦୦ ଦିନ ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଓଡ଼ିଶାବାସୀଙ୍କ ପ୍ରିୟଭାଜନ ହୋଇପାରିଛି। ଭକ୍ତଙ୍କ ପାଇଁ ପୁରୀ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯାଇଛି। ରତ୍ନଭଣ୍ଡାର ଖୋଲାଯାଇଛି। ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କା, ଓଡିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରାଯାଇଛି। ନିର୍ମାଣ ଶ୍ରମିକଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ୪ରୁ ୬ ଲକ୍ଷ ଟଙ୍କା ଓ ସ୍ୱାଭାବିକ ମୃତ୍ୟୁ ପାଇଁ ୨ରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।
୮୦ ବର୍ଷ ବୟସ୍କ ଏବଂ ୮୦ ପ୍ରତିଶତ ଦିବ୍ୟାଙ୍ଗଙ୍କୁ ମାସିକ ୩୫୦୦ ଟଙ୍କା ପେନସନ ବ୍ୟବସ୍ଥା କରିସାରିଛୁ। ଶିକ୍ଷା କ୍ଷେତ୍ରରେ ଆଦିବାସୀ ଛାତ୍ରଛାତ୍ରୀ ଡ୍ରପଆଉଟ ହ୍ରାସ ପାଇଁ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫୦୦୦ ଟଙ୍କା ବ୍ୟବସ୍ଥା କରାଯାଇଛି। ଲୋକସେବା ଭବନ ଏବଂ ବିଧାନସଭାକୁ ସାମ୍ବାଦିକଙ୍କ ପ୍ରବେଶ ପାଇଁ ନିଷ୍ପତି ନିଆଯାଇଛି। “ଆମ ସରକାର-ଲୋକଙ୍କ ସରକାର” ଜନଶୁଣାଣୀକୁ ଅଗ୍ରାଧିକାର ଦେଇଛି।
କୃଷି କ୍ଷେତ୍ରରେ ଚଳିତ ବଜେଟ୍ରେ “ସିଏମ କିଶାନ ସମ୍ମାନ ଯୋଜନା”ରେ ୪୬ ଲକ୍ଷ ଚାଷୀଙ୍କୁ ୨୦୦୦ ଟଙ୍କାର ପ୍ରଥମ କିସ୍ତି ପ୍ରଦାନ କରାଯାଇଛି। ଚାଷୀମାନେ ଧାନ କ୍ୱିଂଇଟାଲ ପିଛା ଓଡିଶାରେ ୩୧ଶହ ଟଙ୍କା ପାଇବେ ନିଷ୍ପତି ହୋଇସାରିଛି। ଜଳସେଚନ ବ୍ୟବସ୍ଥାକୁ ସୁଦୃଢ କରାଯିବ। ପ୍ରତ୍ୟେକ ସବଡିଭିଜନରେ ଶୀତଳ ଭଣ୍ଡାର କରାଯିବ। ଖାଲି ପଡିଥିବା ୧୬୦୦୦ ଶିକ୍ଷକ ପଦବୀ ପୂରଣ ପାଇଁ ବଜେଟ୍ରେ ବ୍ୟବସ୍ଥା ହୋଇଛି। ଠେଲା ଦୋକାନୀଙ୍କଠାରୁ ଆରମ୍ଭ କରି କ୍ଷୁଦ୍ର ବ୍ୟବସାୟୀ ଓ ଚାଷୀଙ୍କ ବିକାଶକୁ ଗୁରତ୍ୱ ଦିଆଯାଇଛି।
୧୦୦ ଦିନର ସଂକଳ୍ପ ପତ୍ରରେ ଯେଉଁ ଯେଉଁ ନିଷ୍ପତି ନିଆଯାଇଛି ସେ ସବୁର କାର୍ଯ୍ୟାନ୍ୱୟନ ଆରମ୍ଭ ହୋଇସାରିଛି। କେନ୍ଦ୍ରସରକାରଙ୍କ ଅନୁଦାନକୁ ସଠିକ୍ ଭାବେ ବିନିଯୋଗ କରି ଦେଶ ଓ ରାଜ୍ୟର ବିକାଶ କରାଯିବ। ବିକଶିତ ଭାରତ ଗଠନରେ ଓଡିଶା ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଆଜି ପୁରୀ ଠାରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି।