‘ନଭେମ୍ବରରୁ ୩୧୦୦ ଟଙ୍କାରେ ସଂଗ୍ରହ ହେବ ଖରିଫ ଧାନ’
ଓଏଲ୍ ବ୍ୟୁରୋ: ରାଜ୍ୟ ସରକାର ଧାନର ଏମଏସପି ବୃଦ୍ଧି କରିଛନ୍ତି। ଏହି କ୍ରମରେ ଚଳିତ ଖରିଫ ଋତୁ ପାଇଁ ଆସନ୍ତା ନଭେମ୍ବର ମାସରୁ ବରଗଡର ସୋହେଲାରୁ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କୁଇଣ୍ଟାଲ ପିଛା ୮୦୦ ଶହ ଟଙ୍କା ଅଧିକ ଦେଇ ଧାନ କିଣା ଆରମ୍ଭ କରିବେ ବୋଲି ବିଜେପି ମୁଖପାତ୍ର ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସୋହେଲାରେ ପୂର୍ବ ସରକାର ଚାଷୀଙ୍କୁ ୧୦୦ ଟଙ୍କା ଲେଖାଏଁ ବୋନସ ଦେବାକୁ ଘୋଷଣା କରିଥିଲେ। ମାତ୍ର ତାହା କାର୍ଯ୍ୟକାରୀ କରିନଥିଲେ। ବିଜେପି ସରକାର ନିଜର ପ୍ରତିଶ୍ରୁତି ମୁତାବକ ଚାଷୀଙ୍କଠାରୁ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ ସଂଗ୍ରହ କରିବ।
ସେହିପରି ସମବାୟ ସମିତି ଗୁଡିକରେ ଧାନ ବିକ୍ରି ଲାଗି ଛୋଟ ଚାଷୀ ଓ ନାମ ମାତ୍ର ଚାଷୀଙ୍କ ପଞ୍ଜିକରଣ ଉପରେ ସରକାର ଗୁରୁତ୍ଵ ଦେଇଛନ୍ତି। ଏହାଦ୍ୱାରା ଚାଷୀଙ୍କ ଅର୍ଥନୈତିକ ବିକାଶ ହେବ। ଶ୍ରୀ ଦାସ ଆହୁରି ମଧ୍ୟ କହିଛନ୍ତି ଯେ, ସମବାୟ ସମିତିର ସଶକ୍ତିକରଣ ପାଇଁ କେନ୍ଦ୍ର ସରକାର ବିଗତ ୧୦ ବର୍ଷ ଧରି ସହାୟତା ଦେଉଛନ୍ତି। କେନ୍ଦ୍ର ମନ୍ତ୍ରୀ ଅମିତ ସାହା ଏହାର ନେତୃତ୍ୱ ନେଉଛନ୍ତି। ଏହିକ୍ରମରେ ସବୁ ସମବାୟ ସମିତି ଗୁଡିକର କମ୍ପୁଟରୀକରଣକୁ ଗୁରୁତ୍ୱ ଦିଆଯିବ। ରାଜ୍ୟର ଏବେବି ୧୫୪୨ ପଞ୍ଚାୟତରେ ସମବାୟ ସମିତି ନାହିଁ। ଆଗାମୀ ଦିନରେ ସବୁ ପଞ୍ଚାୟତରେ ସମବାୟ ସମିତି ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି।