ଆର୍ଆଇ ପରୀକ୍ଷା ବିବାଦ: କାଠଯୋଡ଼ିରେ ଭାସିଲା ଆଡମିଟ୍ କାର୍ଡ ଡଙ୍ଗା
ଓଏଲ୍ ବ୍ୟୁରୋ: ସାରା ରାଜ୍ୟରେ ଆରଆଇ, ଅମିନ ପରୀକ୍ଷାରେ ଅନିୟମିତତା ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କଟକରେ ଆଶାୟୀଙ୍କ ଜୋରଦାର ପ୍ରତିବାଦ କରିଛନ୍ତି। ପରୀକ୍ଷା ବାତିଲ୍ ସହ ପୁନଃ ପରୀକ୍ଷା କରିବା ଦାବିରେ ଆନ୍ଦୋଳନ କରୁଛନ୍ତି ଆରଆଇ ପରୀକ୍ଷା ଆଶାୟୀ। ଆଡମିଟ୍ କାର୍ଡକୁ ଡଙ୍ଗା କରି କାଠଯୋଡ଼ି ନଦୀରେ ଭସାଇଲେ।
ଅନ୍ୟପଟେ, ଆରଆଇ, ଅମିନ ପରୀକ୍ଷାରେ ଅନିୟମିତତା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ରାଜସ୍ବ ମନ୍ତ୍ରୀ। ବିଭ୍ରାଟ ନେଇ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ରିପୋର୍ଟ ମାଗିଛନ୍ତି। ଅନିୟମିତତା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଏହାହାର ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ ରାଜସ୍ବ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି।
ମନ୍ତ୍ରୀ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରିଛି। ଆମ ପାଖରେ ଯେଉଁ ଅଭିଯୋଗ ହସ୍ତଗତ ହୋଇଛି ମୋତେ ଲାଗୁଛି ପରୀକ୍ଷା ପାଇଁ ଏହା ଅନୁକୂଳ ପ୍ରକ୍ରିୟା ନୁହଁ। ସରକାର ଅନୁଧ୍ୟାନ କରି ବ୍ଲାକ ଲିଷ୍ଟେଡ଼ ହୋଇଥିଲେ ଉକ୍ତ ସଂସ୍ଥାକୁ ପରୀକ୍ଷାରୁ ମୁକ୍ତ କରାଯିବ। ତ୍ରୁଟି ବିଚ୍ୟୁତି କେତେ ପରିମାଣର ହୋଇଛି ଏହା ଫଳାଫଳକୁ କେତେ ପ୍ରଭାବ ପକାଇବ ତାକୁ ଅନୁଧ୍ୟାନ କରି ସରକାର ନିଷ୍ପତ୍ତି ନେବେ। ଏହାର ସମାଧାନ ପାଇଁ ସମସ୍ତ ଦ୍ୱାର ଖୋଲା ଅଛି।
ପରୀକ୍ଷା ସବୁବେଳେ ତ୍ରୁଟି ଶୂନ୍ୟ ହେବା କଥା। ଉଚିତ ସ୍ଥାନରେ ପରୀକ୍ଷା ହେଉନଥିବା ଛାତ୍ର ଛାତ୍ରୀ ଅଭିଯୋଗ କରିଛନ୍ତି। ପରୀକ୍ଷାରେ ଅବ୍ୟବସ୍ଥା ଅଭିଯୋଗ ମୋ ପାଖକୁ ଆସିଛି। ଆରଆଇ ଅମିନ ପରୀକ୍ଷା ରାଜସ୍ବ ବିଭାଗ ନୁହେଁ osssc କରେ। ଜଣେ ଥାର୍ଡ଼ ପାର୍ଟିକୁ ଷ୍ଟାପ ସିଲେକ୍ସନ ବୋର୍ଡ ଆଉଟସୋରସିଂ କରିଥିବା ଖବର ଆସୁଛି। ସେହି କମ୍ପାନୀର ବିଶ୍ଵସନୀୟତାକୁ ନେଇ ବି ପ୍ରଶ୍ନ ଉଠିଛି।