Odisha Link
Bridging the Missing Links in Odisha

ପରଲୋକରେ ପଦ୍ମଶ୍ରୀ ବିବେକ ଦେବରାୟ, ମୋଦିଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଥିଲେ

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ଦେଶର ଜଣାଶୁଣା ଅର୍ଥଶାସ୍ତ୍ରୀ ତଥା ପଦ୍ମଶ୍ରୀ ବିବେକ ଦେବରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଥିବା ଶ୍ରୀ ଦେବରାୟଙ୍କ ଆଜି ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଆଖି ବୁଜିଛନ୍ତି। ମୃତ୍ୟୁବେଳକୁ ଶ୍ରୀ ଦେବରାୟଙ୍କୁ ୬୯ ବର୍ଷ ହୋଇଥିଲା। ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବେକ ଦେବରାୟଙ୍କ ବିୟୋଗରେ ଶୋକପ୍ରକାଶ କରିବା ସହ ଲେଖିଛନ୍ତି ଯେ, ମୁଁ ଡକ୍ଟର ଦେବରାୟଙ୍କୁ ବହୁତ ବର୍ଷରୁ ଜାଣିଛି। ମୁଁ ତାଙ୍କ ଅନ୍ତଃଦୃଷ୍ଟି ଏବଂ ଏକାଡେମିକ ଚର୍ଚ୍ଚାକୁ ସବୁବେଳେ ମନେରଖିବି। ତାଙ୍କ ବିୟୋଗରେ ମୁଁ ଦୁଃଖିତ। ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି।

୧୯୫୫ ଜାନୁଆରୀ ୨୫ ତାରିଖରେ ଜନ୍ମିତ ବିବେକ ଦେବରାୟ ସମସ୍ତ ପୁରାଣର ଇଂରାଜୀ ଅନୁବାଦ କରି ବିଶ୍ବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଇଥିବା ବିବେକ ଦେବରାୟ ପୁଣେର ଗୋଖଲେ ରାଜନୀତି ଏବଂ ଅର୍ଥନୀତି ସଂସ୍ଥାନରେ କୁଳାଧିପତି ଭାବେ କାର୍ଯ୍ୟ କରିଥିଲେ। ୨୦୧୯ ମସିହା ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ସେ ନୀତି ଆୟୋଗର ସଦସ୍ୟ ଥିଲେ। ନିଜ ଜୀବନକାଳ ଭିତରେ ସେ ଅନେକ ପୁସ୍ତକ ଲେଖିବା ସହ କିଛି ପୁସ୍ତକର ସମ୍ପାଦନା ମଧ୍ୟ କରିଥିଲେ।