ଭରତପୁର ଥାନା ଘଟଣା: ପୀଡ଼ିତାଙ୍କ ବୟାନ ରେକର୍ଡ
ଓଏଲ୍ ବ୍ୟୁରୋ: ଭରତପୁର ଥାନା ଘଟଣାର ନ୍ୟାୟିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଘଟଣାକୁ ନେଇ ପୁଲିସ ଡିଜି ତଦନ୍ତର ସମୀକ୍ଷା କରିଛନ୍ତି। ଡିଜି କ୍ୟାମ୍ପ ଅଫିସରେ କ୍ରାଇମବ୍ରାଞ୍ଚ ଏଡିଜି ଓ ୨ ତଦନ୍ତକାରୀ ଅଧିକାରୀଙ୍କ ଉପସ୍ଥିତରେ ପୁଲିସ ଡିଜି ସମୀକ୍ଷା କରିଛନ୍ତି। ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ BNS ୧୮୩ରେ ପୀଡ଼ିତାଙ୍କ ବୟାନ ରେକର୍ଡ ହୋଇଛି। ତଦନ୍ତର ଅଗ୍ରଗତି ନେଇ ବୈଠକରେ ଆଲୋଚନା କରାଯାଇଛି।
ସୂଚନା ଅନୁସାରେ, ଘଟଣାରେ ସମ୍ପୃକ୍ତ ଦୀନକୃଷ୍ଣ ମିଶ୍ରଙ୍କ ନାର୍କୋ ଓ ବ୍ରେନ ମ୍ୟାପିଂ ଟେଷ୍ଟ ସରିଛି। ମାମଲାକୁ ଗୁରୁତର ସହ ନେଇ ଶୀଘ୍ର ରିପୋର୍ଟ ଦେବାକୁ କହିବୁ। ଗୁଜରାଟ ଫରେନସିକ ଟିମ୍କୁ ଆମେ ଜଣାଇବୁ। ଖୁବ୍ଶୀଘ୍ର ପୀଡ଼ିତାଙ୍କ ୧୬୩ ବୟାନ ରେକର୍ଡ କରାଯିବ। ମାମଲାର ସତ୍ୟପାଠ ଶୀଘ୍ର କମିଶନଙ୍କ ଆଗରେ ଦାଖଲ କରାଯିବ। ତଦନ୍ତ ପରେ ସତ୍ୟାସତ୍ୟ ବାହାରିଲେ ଆଇନଗତ ଆକ୍ସନ ହେବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର କହିଥିଲେ।
ଅନ୍ୟପଟେ, ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ମାମଲାରେ ବିଚାର ବିଭାଗୀୟ ତଦନ୍ତ ଜାରି ରହିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେପ୍ଟେମ୍ବର ୨୧ ବିଳମ୍ବିତ ରାତିରେ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିଭଳି ଓ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା, ସମ୍ପୂର୍ଣ୍ଣ ଘଟଣାକ୍ରମ କ’ଣ ଥିଲା, କେଉଁ ପରିସ୍ଥିତିରେ ଭରତପୁର ଥାନାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଏବଂ ମାଡ଼ମରା ଭଳି ଘଟଣା ଘଟିଲା, ଏହିସବୁ ଘଟଣାର ତଦନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ଚାଲିଛି।