ବିସ୍ମୃତ ଖାଦ୍ୟର ସଂରକ୍ଷଣ ପାଇଁ ମିଳିବ ପ୍ରୋତ୍ସାହନ, ଜାରି ହେଲା ନିର୍ଦ୍ଦେଶାବଳୀ
ଓଏଲ୍ ବ୍ୟୁରୋ: ଭୁବନେଶ୍ୱରରେ ଆରମ୍ଭ ହୋଇଛି ଦୁଇ ଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ’। ରବିବାର ସ୍ଥାନୀୟ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦ୍ଘାଟନ କରିଛନ୍ତି। ବିସ୍ମୃତ ଖାଦ୍ୟର ସଂରକ୍ଷଣ ପାଇଁ ନିର୍ଦ୍ଦେଶାବଳୀ ଆଣିଲେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବିସ୍ମୃତ ଖାଦ୍ୟର ଗାଇଡଲାଇନ ଉନ୍ମୋଚିତ ହୋଇଛି। ବିସ୍ମୃତ ଖାଦ୍ୟର ସଂରକ୍ଷଣ କଲେ ରାଜ୍ୟ ସରକାର ପ୍ରୋତ୍ସାହନ ଦେବେ। ସମଗ୍ର ରାଜ୍ୟରେ ଏ ନେଇ ପ୍ରଚାର ଓ ପ୍ରସାର କରାଯିବ। ବିସ୍ମୃତ ଖାଦ୍ୟ ନେଇ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଗତକାଲି ଆୟୋଜିତ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ’ ଓଡ଼ିଶାରେ ପୃଷ୍ଟି ଶସ୍ଯର ଉତ୍ପାଦନ ଏବଂ ବ୍ୟବହାରକୁ ବୃଦ୍ଧି କରିବା ସହ ଓଡ଼ିଶାକୁ ଭାରତର ମିଲେଟ ହବରେ ପରିଣତ କରିବା ଲାଗି ଗୁରୁତ୍ୱାରୋପ କରାଯାଇଥିଲା। ଏହାସହ ଖାଦ୍ୟ ନିରାପତ୍ତା ତଥା ଅତ୍ୟାଧୁନିକ କୃଷି ପଦ୍ଧତି ଏବଂ ବିସ୍ମୃତ ଖାଦ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରୋତ୍ସାହନ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି।
ସମ୍ମିଳନୀର ପ୍ରଥମ ଦିନରେ ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ସଂଗଠନ, ନୀତି ନିର୍ଦ୍ଧାରକ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ, ଗବେଷଣା ପ୍ରତିଷ୍ଠାନ, ସ୍ୱାସ୍ଥ୍ୟ ଅନୁଷ୍ଠାନ ତଥା ହୋଟେଲ ଆସୋସିଏସନର ସଦସ୍ୟଙ୍କ ସମେତ ଅନ୍ୟ ବିଶେଷଜ୍ଞମାନେ ଯୋଗ ଦେଇଥିଲେ।
ପୁଷ୍ଟିଶସ୍ୟ ଆମ ଆଦିବାସୀ ଜନଜାତି ସମ୍ପ୍ରଦାୟଙ୍କ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି। ଏହା ଆମ ରାଜ୍ୟର କୃଷିର ଏକ ଅଭିନ୍ନ ଅଂଶବିଶେଷ। ଜଳବାୟୁ ସହିଷ୍ଣୁତା ଗୁଣ ସହ ମାଣ୍ଡିଆ ଏବଂ ଅନ୍ୟାନ୍ୟ ପୁଷ୍ଟିଶସ୍ୟ ଗୁଡିକ ପୁଷ୍ଟି ଏବଂ ଖାଦ୍ୟ ସୁରକ୍ଷା ଦୃଷ୍ଟିକୋଣରୁ ଗରୁତ୍ୱପୂର୍ଣ୍ଣ ଅଟେ। ଏହି ଶ୍ରୀ ଅନ୍ନ ଚାଷ ଆଜି ସାରା ଦେଶରେ ଏକ ବିପ୍ଳବର ରୂପ ନେଇଛି। ଏଥିରେ ଓଡ଼ିଶା ଅଗ୍ରଣୀ ଭୂମିକା ବହନ କରୁଛି” ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ।