ଆଜି ଜାତୀୟ ଶିକ୍ଷା ଦିବସ, ଚିରସ୍ମରଣୀୟ ମୌଲାନା ଅବୁଲ୍ କଲାମ୍ ଆଜାଦ୍ଙ୍କ ଲକ୍ଷ୍ୟ
ଓଏଲ୍ ବ୍ୟୁରୋ: ପ୍ରତିବର୍ଷ ନଭେମ୍ବର ୧୧ ତାରିଖକୁ ଦେଶରେ ଜାତୀୟ ଶିକ୍ଷା ଦିବସ ଭାବରେ ପାଳନ କରାଯାଏ। ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ୍ କଲାମ୍ ଆଜାଦ୍ଙ୍କ ଜନ୍ମଦିନ ସ୍ମୃତିରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ଶିକ୍ଷା ଦିବସ ଭାବେ ପାଳନ କରାଯାଉଛି। ଦେଶ ସ୍ୱାଧୀନ ହେବା ପରେ ସ୍ୱର୍ଗତ ମୌଲାନା ଅବୁଲ୍ କଲାମ ଆଜାଦ ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖଠାରୁ ୧୯୫୮ ମସିହା ଫେବୃୟାରୀ ମାସ ୨ ତାରିଖ ପର୍ଯ୍ୟନ୍ତ ଭାରତର ଶିକ୍ଷାମନ୍ତ୍ରୀ ଥିଲେ।
ଶିକ୍ଷାକ୍ଷେତ୍ରରେ ଗ୍ରାମାଞ୍ଚଳର ଝିଅମାନଙ୍କୁ ଶିକ୍ଷିତ କରିବାପାଇଁ ସ୍ୱର୍ଗତ ଆଜାଦଙ୍କ ବଡ଼ ଅବଦାନ ଥିଲା। ଶିକ୍ଷାମନ୍ତ୍ରୀ ଥିବା ସମୟରେ ସ୍ୱର୍ଗତ ଆଜାଦ ଜାତୀୟ ଶିକ୍ଷାନୀତି ପ୍ରଣୟନ କରିଥିଲେ। ବୈଷୟିକ ଶିକ୍ଷାକ୍ଷେତ୍ରରେ ଆଇ.ଆଇ.ଟି.ଗୁଡ଼ିକ ସ୍ଥାପନପାଇଁ ମୌଲାନା ଅବୁଲ୍ କଲାମ୍ ଆଜାଦ୍ ଚିରସ୍ମରଣୀୟ ହୋଇ ରହିବେ।
ଆର୍ଥିକ କ୍ଷେତ୍ର ସହ ବୌଦ୍ଧିକ ବିକାଶରେ ଶିକ୍ଷା କିପରି ଅଧିକରୁ ଅଧିକ ଫଳପ୍ରଦ ହୋଇପାରିବ। ମୌଲାନା ଅବୁଲ୍ କଲାମ ଆଜାଦଙ୍କର ଲକ୍ଷ୍ୟ ଥିଲା। ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଏବଂ ପ୍ରୌଢ଼ଶିକ୍ଷାର ବାର୍ତ୍ତା ନେଇ ଆଜି ଏହି ଦିବସ ପାଳନ କରାଯାଉଛି।
ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ତଥା ଭାରତ ରତ୍ନ ମୌଲାନା ଅବୁଲ କଲାମ ଆଜାଦଙ୍କ ଜନ୍ମ ଦିବସ। ୧୮୮୮ ମସିହା ଆଜିର ଦିନରେ ସେ ଆରବର ମକ୍କା ସହରରେ ଜନ୍ମଗ୍ରହଣ କରିଥିଲେ। ମୌଲାନା ତାଙ୍କୁ ପ୍ରଦତ୍ତ ଏକ ସମ୍ମାନସ୍ପଦ ଉପାଧି ଥିଲା। ପରବର୍ତ୍ତୀ ସମୟରେ ସେ ତାଙ୍କ ନାମରେ ଆଜାଦ ଯୋଡ଼ିଥିଲେ, ଯାହାର ଅର୍ଥ ମୁକ୍ତି। ୧୫ ଅଗଷ୍ଟ ୧୯୪୭ରୁ ଫେବ୍ରୁଆରୀ ୨, ୧୯୫୮ ପର୍ଯ୍ୟନ୍ତ ସେ ଭାରତର ଶିକ୍ଷା ମନ୍ତ୍ରୀ ଥିଲେ।
ମୌଲାନାଙ୍କ ଅନୁସାରେ, ବିଦ୍ୟାଳୟ ଏପରି ଏକ ପ୍ରୟୋଗଶାଳା, ଯେଉଁଠାରେ ରାଷ୍ଟ୍ରର ଭବିଷ୍ୟତ ପିଢ଼ିଙ୍କ ବିକାଶ ହୋଇଥାଏ। ଭାରତରେ ପ୍ରତିଷ୍ଠିତ ବିଭିନ୍ନ ଆଇଆଇଟିଗୁଡ଼ିକର ଶ୍ରେୟ ତାଙ୍କୁ ଦିଆଯାଏ। ସ୍ୱାଧୀନତା ସଂଗ୍ରାମ ସମୟରେ ସେ ଭାରତୀୟ ଜାତୀୟ କଂଗ୍ରେସର ବରିଷ୍ଠ ନେତାମାନଙ୍କ ମଧ୍ୟରୁ ଜଣେ ଥିଲେ। ଶିକ୍ଷା ମନ୍ତ୍ରୀ ଥିବା ସମୟରେ ସେ ଜାତୀୟ ଶିକ୍ଷା ନୀତିର ପ୍ରଣୟନ କରିଥିଲେ। ପ୍ରାଥମିକ ଶିକ୍ଷାର ଅଗ୍ରଗତି ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା।