ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିରର ୪ ଦ୍ବାର

ଓଏଲ୍ ବ୍ୟୁରୋ: ସରିଲା କାର୍ତ୍ତିକ ମାସ। ଜଗାପ୍ରେମୀଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର। ଆଜିଠୁ ୪ ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି ଶ୍ରଦ୍ଧାଳୁ। ସିଂହଦ୍ବାର ବ୍ୟତୀତ ଅନ୍ୟ ୩ ଦ୍ବାରରେ ପ୍ରସ୍ଥାନ କରିପାରିବେ ଭକ୍ତ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ସେବକ ଓ ତାଙ୍କ ପରିବାରର ସଦସ୍ୟ ୪ ଦ୍ବାର ଦେଇ ପ୍ରବେଶ ଏବଂ ପ୍ରସ୍ଥାନ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଥାଉକି, କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ହେଉଥିବା ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ କେବଳ ସିଂହଦ୍ବାର ଦେଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ମିଳିଥିଲା।
ଗତକାଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଶ୍ରୀମନ୍ଦିର ନାଟମଣ୍ଡପଠାରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଏବେ ବିଚାରାଧୀନ ରହିଛି। ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟିଙ୍କ ପରାମର୍ଶ ଓ ଅନୁମୋଦନ ପରେ ଏହା କାର୍ଯ୍ୟକାରୀ ହେବ।
କାର୍ତ୍ତିକ ମାସ ପରବର୍ତ୍ତୀ ଦର୍ଶନ ବ୍ୟବସ୍ଥା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ସେହି ବୈଠକରେ ଜିଲ୍ଲାପାଳ, ଏସ୍ପିଙ୍କ ସହିତ ଶ୍ରୀମନ୍ଦିର ତଥା ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ।
ସୂଚନାଥାଉକି, କାର୍ତ୍ତିକ ମାସ ପାଇଁ ଗତ ୧୮ ତାରିଖରୁ ଭକ୍ତମାନେ ସିଂହଦ୍ୱାର ଏବଂ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରୁଥିଲେ, ହେଲେ ଅହେତୁକ ଭିଡ଼ ପାଇଁ ପଞ୍ଚୁକ ୪ ଦିନ ପଶ୍ଚିମ ଦ୍ୱାର ରବାଟେ ବି ପ୍ରବେଶ କଟକଣା ଲଗାଇ କେବଳ ସିଂହଦ୍ୱାର ବାଟେ ଭକ୍ତଙ୍କୁ ଛଡ଼ା ଯାଉଥିଲା।