ପର୍ଥ ଟେଷ୍ଟରେ ବୁମରାହଙ୍କ ବଡ଼ ରେକର୍ଡ
ଓଏଲ୍ ବ୍ୟୁରୋ: ପର୍ଥରେ ନୂଆ ଇତିହାସ ଲେଖିଲେ ଟିମ୍ ଇଣ୍ଡିଆର ଅଧିନାୟକ ଯଶପ୍ରୀତ ବୁମରାହ। ଭାରତର କାମଚଳା ଅଧିନାୟକ ବୁମରାହଙ୍କ ଫିପ୍ଲରରେ କଙ୍ଗାରୁ ବାହିନୀ ଆଣ୍ଠେଇ ଥିଲା। ୫ ଓ୍ବିକେଟ ସଫଳତା ସହିତ ବୁମରାହ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ସେ ପୂର୍ବତନ ଭାରତୀୟ ଅଧିନାୟକ କପିଲ ଦେବଙ୍କ ଏକ ରେକର୍ଡର ସମକକ୍ଷ ହୋଇଛନ୍ତି।
ଟେଷ୍ଟ କ୍ରିକେଟରେ ବୁମରାହ ୭ମ ଥର ପାଇଁ ୫ ଓ୍ବିକେଟ ସଫଳତା ହାସଲ କରିଛନ୍ତି। ତେବେ ଏହା ହେଉଛି ସେନା ଦେଶ (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ)ରେ ବୁମରାହଙ୍କର ସପ୍ତମ ୫ ୱିକେଟ ସଫଳତା। ଏହି ଦେଶ ଗୁଡ଼ିକରେ ସର୍ବାଧିକ ଥର ୫ ୱିକେଟ ସଫଳତା ହାସଲ କରିବା ରେକର୍ଡ କପିଲ ଦେବଙ୍କ ନାଁରେ ରହିଥିଲା, ଯିଏକି ୭ ଥର ଏହି ସଫଳତା ନିଜ ନାଁରେ କରିଥିଲେ। ଏହି ତାଲିକାରେ ବି.ଏସ୍ ଚନ୍ଦ୍ରଶେଖର (୬ ଥର), ଜାହିର ଖାନ (୬ ଥର), ବିଶାନ ସିଂହ ବେଦୀ (୫ ଥର) ଓ ଅନୀଲ କୁମ୍ବଲେ (୫ ଥର) ରହିଛନ୍ତି।
ଏହା ବ୍ୟତୀତ ବୁମରାହ ପଞ୍ଚମ ଭାରତୀୟ ଅଧିନାୟକ ଭାବରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଏକ ୫ ୱିକେଟ ସଫଳତା ହାସଲ କରିବାରେ ସଫଳ ହୋଇଛନ୍ତି। ଏହା ପୂର୍ବରୁ ଭିନୋ ମଙ୍କଡ, ବିଶାନ ସିଂହ ବେଦୀ, କପିଲ ଦେବ ଓ ଅନୀଲ କୁମ୍ବଲେଙ୍କ ନାଁ ଏହି ତାଲିକାରେ ରହିଛି।
ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ପାଳିରେ ବୁମରାହ ୧୮ ଓଭର ବୋଲିଂ କରି ୩୦ ରନ ବ୍ୟୟରେ ୫ଟି ବହୁମୂଲ୍ୟ ୱିକେଟ ହାସଲ କରିଥିଲେ। ନାଥନ ମ୍ୟାକସ୍ଵିନୀ, ଉସମାନ ଖାୱଜା, ଷ୍ଟେଭ ସ୍ମିଥ, ଆଲେକ୍ସ କ୍ୟାରୀ ଓ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ଆଉଟ୍ କରି ପାଭିଲିୟନ ଫେରାଇଥିଲେ ବୁମରାହ।