ପୁସ୍ତକମେଳାରୁ ଓହରିଲେ ପ୍ରମୁଖ ଓଡ଼ିଆ ପ୍ରକାଶକ
୩୮୨ ଷ୍ଟଲରୁ ଫେରାଇନେଲେ ୧୨୦
ଭୁବନେଶ୍ବର: ଓଡ଼ିଶା ସରକାର ଓଡ଼ିଆ ଅସ୍ମିତା ଗୁରୁତ୍ବ ଦିଅନ୍ତି ବୋଲି ଦାବି କରୁଥିବାବେଳେ ପୁସ୍ତକମେଳା ଆୟୋଜନରେ ଓଡ଼ିଆ ପ୍ରକାଶକ ଓ ଓଡ଼ିଆ ପୁସ୍ତକକୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ଡିସେମ୍ବର ୬ ତାରିଖରୁ ଆରମ୍ଭ ହେଉଥିବା ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ ଷ୍ଟଲ ଆବଣ୍ଟନ ନେଇ ସରକାର ପାତରଅନ୍ତର କରୁଥିବା ଅଭିଯୋଗ କରିଛି ରାଜ୍ୟର ସର୍ବବୃହତ୍ ପ୍ରକାଶକ ସାମ୍ମୁଖ୍ୟ “ଓଡ଼ିଶା ପ୍ରକାଶକ ସଂଘ”। ପ୍ରତିବାଦରେ ସଂଘର ସଦସ୍ୟମାନଙ୍କ ପକ୍ଷରୁ ପଞ୍ଜିକୃତ ହୋଇଥିବା ୧୨୦ରୁ ଅଧିକ ଷ୍ଟଲ ଫେରାଇ ନେବା ସହ ମେଳାରେ ସଂଘ ଭାଗ ନେବନାହିଁ ବୋଲି ନିଷ୍ପତ୍ତି ହୋଇଥିବା କହିଛନ୍ତି ସଂଘର ସଭାପତି କ୍ଷୀରୋଦ ଚନ୍ଦ୍ର ପତି କହିଛନ୍ତି। ଆଜି ପେନ୍ ଇନ୍ ବୁକ୍ସ, ଅପୂର୍ବା, ଟାଇମ୍ପାସ୍, ପକ୍ଷୀଘର ପ୍ରକାଶନୀ, ବିଶ୍ବମୁକ୍ତି ପବ୍ଲିକେଶନ୍, ବି.କେ. ପବ୍ଲିକେଶନ୍ସ ଓ ଆଦିତ୍ୟ ଭାରତ ପକ୍ଷରୁ ୬୧ଟି ଷ୍ଟଲ ଫେରାଇବା ପାଇଁ ଆବେଦନ କରାଯାଇଥିବା ବେଳେ ଅନ୍ୟ ସଦସ୍ୟମାନେ ସୋମବାର ଦିନ ଫେରାଇବେ ବୋଲି ଶ୍ରୀ ପତି ସୂଚନା ଦେଇଛନ୍ତି।
ସଂଘର ସଂପାଦକ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି ଯେ ପୂର୍ବ ବର୍ଷମାନଙ୍କରେ ଆମେ ବାରମ୍ବାର ସରକାରଙ୍କ ପାତରଅନ୍ତରର ଶିକାର ହୋଇଥିଲୁ ଏବଂ ପ୍ରତିବାଦ କରି ଆସିଥିଲୁ। ଚଳିତ ବର୍ଷ ପୁସ୍ତକମେଳା ହେବା ନେଇ ସରକାର ନିଷ୍ପତ୍ତି ନେବା ପରେ ଆମେ ସ୍ବାଗତ କରିଥିଲୁ ଏବଂ ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବୁ ବୋଲି ଘୋଷଣା କରିଥିଲୁ। ପୂର୍ବ ସରକାରଙ୍କର ତ୍ରୁଟିକୁ ଏ ସରକାର ସୁଧାରିବେ ଓ ଅଧିକ ଗାଣତାନ୍ତ୍ରିକ ଉପାୟରେ ମେଳା ଆୟୋଜନ କରିବେ ବୋଲି ଆମେ ଆଶା କରିଥିଲୁ। କିନ୍ତୁ ଓଲଟା ହେଲା। ପୂର୍ବ ସରକାରରେ ଯେଉଁ ବହି ବେପାରୀମାନେ ଅଗ୍ରାଧିକାର ପାଉଥିଲେ ଏଥର ସେମାନେ ମେଳା କିପରି ହେବ ନିଷ୍ପତ୍ତି ନେଉଛନ୍ତି। ମେଳାରେ ଷ୍ଟଲ ଆବଣ୍ଟନ ପାଇଁ ସରକାର ଏକ କମିଟି ଗଠନ କରିଥିବାବେଳେ ଏଯାଏଁ ଥରଟିଏ ବି କମିଟିର ବୈଠକ ଡକାଯାଇନାହିଁ। ମେଳାକୁ ଆଉ ମାତ୍ର ୫ ଦିନ ବାକିଥିବାବେଳେ କମିଟିର ବିନା ପରାମର୍ଶରେ ଷ୍ଟଲ ଆବଣ୍ଟନ ହୋଇ ପ୍ରଦର୍ଶନୀ ପଡ଼ିଆରେ ଷ୍ଟଲ ନିର୍ମାଣ ଚାଲିଛି। ଆମ ସଂଘର ସଦସ୍ୟମାନେ ଷ୍ଟଲ ଆବଣ୍ଟନରେ ଅସନ୍ତୁଷ୍ଟ ଥିବାରୁ ଆମେ ମେଳାରୁ ଓହରିଯିବାକୁ ନିଷ୍ପତ୍ତି ନେଇଛୁ। ଓଡ଼ିଶାର ଅଧିକାଂଶ ଲେଖକଙ୍କର ପୁସ୍ତକ ଆମର ସଦସ୍ୟମାନେ ପ୍ରକାଶ କରିଛନ୍ତି ଏବଂ ଆମର ଏ ନିଷ୍ପତ୍ତିରେ ସେମାନେ ଆମର ସମର୍ଥନ କରିବେ ବୋଲି ଶ୍ରୀ ପଣ୍ଡା ଆଶାବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ, ଷ୍ଟଲ ଆବଣ୍ଟନକୁ ଗାଣତାନ୍ତ୍ରିକ ପଦ୍ଧତିରେ କରିବା ପାଇଁ ସଂଘ ସଂସ୍କୃତି ବିଭାଗକୁ ବାରମ୍ବାର ପରାମର୍ଶ ଦେଇଥିଲା। ବିଭାଗ ସଂଘର ପରାମର୍ଶକୁ କର୍ଣ୍ଣପାତ କଲାନାହିଁ। ଏହା ସହ ବିଭାଗ ଆବଣ୍ଟନ ବୈଠକ ନ ଡାକି ଷ୍ଟଲ ନିର୍ମାଣ କରୁଥିବାରୁ ଓଡ଼ିଶା ପ୍ରକାଶକ ସଂଘ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ଆଜି ଅପରାହ୍ଣରେ ଓଡ଼ିଶା ସାହିତ୍ୟ ଏକାଡେମୀ କାର୍ଯ୍ୟାଳୟ ଯାଇ ପକ୍ଷୀଘର ପ୍ରକାଶନୀର ବନୋଜ ତ୍ରିପାଠୀ, ଟାଇମ୍ପାସ୍ର ସରୋଜ ବଳ, ବିଶ୍ବମୁକ୍ତି ପବ୍ଲିକେଶନ୍ର ସୁଧୀର ମଉଡ଼ମଣି, ଆଦିତ୍ୟ ଭାରତର ଦେବାଶିଷ ସାମନ୍ତରାୟ, ବିକେ ପବ୍ଲିକେଶନ୍ସର ବିଜୟ କୁମାର ମହାପାତ୍ର, ଅପୂର୍ବା ପ୍ରକାଶନୀର କ୍ଷୀରୋଦ ଚନ୍ଦ୍ର ପତି ଓ ପେନ୍ ଇନ୍ ବୁକ୍ସର ଶୁଭ୍ରାଂଶୁ ପଣ୍ଡା ଷ୍ଟଲ ଫେରାଇବା ପାଇଁ ଆବେଦନ କରି ଆସିଛନ୍ତି। ସୋମବାର ଦିନ ଆଉ ୩୦ ଅନୁଷ୍ଠାନ ଷ୍ଟଲ ଫେରାଇବା ପାଇଁ ଆବେଦନ କରିବେ ବୋଲି ସୂଚନା ମିଳିଛି।