୫ରେ ମହାରାଷ୍ଟ୍ରରେ ଶପଥ ଉତ୍ସବ, କିଏ ହେବ ମୁଖ୍ୟମନ୍ତ୍ରୀ ଏବେବି ଅସ୍ପଷ୍ଟ
ଓଏଲ୍ ବ୍ୟୁରୋ: ମହାରାଷ୍ଟ୍ରରେ ମହାୟୁତିର ମହାବିଜୟ ପରେ ମହାନାଟକ ଦେଖିବାକୁ ମିଳିଛି। କ୍ଷମତାର ଛକି ଶୂନର ଖେଳରେ କିଏ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତାକୁ ନେଇ ସସ୍ପେନ୍ସ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଗାଦିରେ ଏକନାଥ ସିନ୍ଦେ ବସିବେ ନା ଦେବେନ୍ଦ୍ର ଫଡନାଭିସ୍ ବସିବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ମୁଖ୍ୟମନ୍ତ୍ରୀ ରେସ୍ରେ ଏହି ଦୁଇ ନେତାଙ୍କ ନାମ ଆଗରେ ରହିଛି। ଏସବୁ ମଧ୍ୟରେ ଆସିଛି ବଡ଼ ଖବର। ଡିସେମ୍ବର ୫ରେ ଶପଥ ନେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ।
ମହାରାଷ୍ଟ୍ର ବିଜେପି ପକ୍ଷରୁ ପ୍ରକାଶ ସୂତ୍ର ରିପୋର୍ଟ ଅନୁସାରେ, ଡିସେମ୍ବର ୨ରେ ମହାୟୁତିର ବିଧାୟକ ଦଳ ବୈଠକ ବସିବ। ଏଥିରେ ପାର୍ଟି ମୁଖିଆ କିଏ ହେବେ ସେନେଇ ନିଷ୍ପତ୍ତି ନିଆଯିବ। ଏହାପରେ ଗୁରୁବାର (ଡିସେମ୍ବର ୫)ରେ ମୁମ୍ବାଇର ଆଜାଦ ମୈଦାନରେ ଶପଥ ଉତ୍ସବ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।
୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟ ୨୩୦ଟି ଆସନ ସହ ବିଜୟୀ ହୋଇଛି। ଏଥିରେ ବିଜେପି ଏକାକୀ ୧୩୨ଟି ଆସନ ଜିତି ଥିବାବେଳେ ଶିବସେନା ୫୭ ଏବଂ ଏନସିପି ୪୧ଟିରେ ବିଜୟୀ ହୋଇଛି।