ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା, ତଦନ୍ତ ଆରମ୍ଭ କଲା ପୁଲିସ
ଓଏଲ୍ ବ୍ୟୁରୋ: ସୀମା ଟପିଲା ବର୍ବରତା। ଗର୍ଭବତୀଙ୍କୁ ବି ଛାଡ଼ିଲେନି ଦୁର୍ବୃତ୍ତ। ସୁନ୍ଦରଗଡ଼ ଜିଲ୍ଲା ବଣାଇର ଟିକାୟତପାଲି ଥାନା ଝିର୍ଡାପାଲିରେ ଜଣେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏଥିସହିତ ସୁନା ମଧ୍ୟ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି।
ମୃତକଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଘର କବାଟ ବାଡେଇଥିଲେ। ଏବଂ ମହିଳା ଜଣକ କବାଟ ଖୋଲିବାରୁ ତାଙ୍କ ବେକରୁ ସୁନା ଚେନ୍ ଏବଂ ମଙ୍ଗଳସୂତ୍ର ଛଡାଇ ନେଇଥିଲେ। କେବଳ ଏତିକି ନୁହେଁ ମହିଳା ଜଣକ ପାଟି କରିବାରୁ ଦୁର୍ବୁତ୍ତମାନେ ତାଙ୍କୁ ଗୁଳି କରିଥିଲେ। ପରେ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
ମୃତ ମହିଳାଙ୍କ ନାଁ ସୀମାମୟୀ ବେହେରା। ତାଙ୍କୁ ପ୍ରାୟ ୩୦ ବର୍ଷ ହୋଇଥିଲା। ସେ ୭ ମାସର ଗର୍ଭବତୀ ଥିଲେ। ଦୁର୍ବୃତ୍ତମାନେ ଲୁଟ୍ ଉଦ୍ଦେଶ୍ୟରେ ଆସି ଏହି ସାତ ମାସର ଗର୍ଭବତୀଙ୍କୁ ଗୁଳି କଲେ ନା ଏହା ପଛରେ ଆଉ କିଛି ଉଦ୍ଦେଶ୍ୟ ଥିଲା, ତାହା ପୁଲିସର ତଦନ୍ତ ପରେ ଜଣାପଡ଼ିବ।