ମହାପ୍ରସାଦ ଦର ନିୟନ୍ତ୍ରଣ ଦାବି: ମନ୍ତ୍ରୀ କହିଲେ-ଖୁବ୍ଶୀଘ୍ର ବଡ଼ ନିଷ୍ପତ୍ତି..
ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ। ମହାପ୍ରସାଦ ପ୍ରସ୍ତୁତି ଓ ଦୀପରେ କେବଳ ଓମଫେଡ୍ ଘିଅ ବ୍ୟବହାର ହେବ। ଏନେଇ ନିଷ୍ପତ୍ତି ହୋଇଥିବା ବେଳେ ଶ୍ରୀମନ୍ଦିର ମହାପ୍ରସାଦ ଦର ହ୍ରାସ ପାଇଁ ପୁରୀ ବିଜେଡି ବିଧାୟକ ଦାବି କରିଥିଲେ। ଏହା ପରେ ବିଧାନସଭା ବନ୍ଦ ହେବାର ୨୪ ଘଣ୍ଟା ନପୂରୁଣୁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ସୂଚନା ଦେଇଛନ୍ତି। ଖୁବ୍ ଶୀଘ୍ର ଶ୍ରୀମନ୍ଦିର ମହାପ୍ରସାଦ ଦର୍ ନିୟନ୍ତ୍ରଣ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।
ସୂଚନା ଥାଉକି, ଗତକାଲି ବିଧାନସଭାରେ ପୁରୀ ବିଜେଡି ବିଧାୟକ ସୁନୀଲ ମହାନ୍ତି କହିଥିଲେ, ଓମ୍ଫେଡ୍ ଘିଅ ବ୍ୟବହାର ନିର୍ଦ୍ଦେଶ ଯାଇଛି, କିନ୍ତୁ ଦାମ୍ ବହୁତ। ମହାସୁଆରଙ୍କ ସହ ଆଲୋଚନା କରି ସବ୍ସିଡିରେ ଘିଅ ଦେବା ଆବଶ୍ୟକ। ଗୃହ କମିଟି ସହ ମହାପ୍ରସାଦ ଉପରେ ଆଲୋଚନା ପାଇଁ ଦାବି କରୁଛି ବୋଲି ଗୃହରେ ବିଜେଡି ବିଧାୟକ କହିଥିଲେ। ଏହା ପରେ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଖୁବ୍ ଶୀଘ୍ର ଶ୍ରୀମନ୍ଦିର ମହାପ୍ରସାଦ ଦର୍ ନିୟନ୍ତ୍ରଣ କରାଯିବ।
ରେଟ୍ ଚାର୍ଟ କଥା ପୂର୍ବରୁ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଏବେ ଶୁଦ୍ଧ ଘିଅ ବ୍ୟବହାର ପାଇଁ ସମସ୍ୟା ହୋଇଛି। କିଭଳି ମହାପ୍ରସାଦ ଦରରେ ସମତୁଲତା ଆସିବ ଚିନ୍ତା କରାଯାଉଛି। ମହାପ୍ରସାଦ ଦାମ୍ ଠିକ୍ ରହିଲେ ଭକ୍ତଙ୍କ ପାଇଁ କିଣିବା ସମସ୍ୟା ହେବନି। ଖୁବ୍ ଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।