ଆଜି ଆଦିକବିଙ୍କର ପବିତ୍ର ଶ୍ରାଦ୍ଧୋତ୍ସବ, ପଢ଼ନ୍ତୁ ଏକ ସ୍ୱତନ୍ତ୍ର ଆଲେଖ୍ୟ..

ପଞ୍ଚଦଶ ଶତାବ୍ଦୀରେ କପିଳେନ୍ଦ୍ର ଦେବଙ୍କ ରାଜତ୍ୱ ସମୟ ତଥା ୧୪୨୧ ମସିହା ମାର୍ଗଶୀର ମାସ ବିଛା କୃଷ୍ଣ ପ୍ରତିପଦା ତିଥିରେ ପିତା ଯଶୋବନ୍ତ ମାତା ତୁଳସୀ ଦେବୀଙ୍କ କୋଳ ମଣ୍ଡନ କରିଥିଲେ ସିଦ୍ଧେଶ୍ଵର ପରିଡ଼ା। ଯାହା ଅଧୁନା ଓଡ଼ିଶାର ଜଗତସିଂହପୁର ଜିଲା ତିର୍ତ୍ତୋଲ ଅନ୍ତର୍ଗତ। ପରବର୍ତ୍ତୀ ସମୟରେ ମା’ ଶାରଳା ଠାକୁରାଣୀଙ୍କ ଅନୁଗ୍ରହରେ ନିଜ ସାଧନା ପୀଠ ତେନ୍ତୁଳିପଦା ଗ୍ରାମର ମୁନିଗୋସାଇଁ ପୀଠରେ ଅନେକ କାଳଜୟୀ ଗ୍ରନ୍ଥ ରଚନା କରି ଆଦିକବି ସାରଳା ଦାସ ନାମରେ ପରିଚିତ ହୋଇ ପାରିଥିଲେ।
ପିଲାଦିନରୁ ପାଠ ପଢିବାର ସୁବିଧା ନ ଥିବାରୁ ଶିକ୍ଷା ଗ୍ରହଣ କରିବା ସମ୍ଭବ ନଥିଲା। ସେତେବେଳେ ସଂସ୍କୃତ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଥିଲା। ଯାହା ଫଳରେ ପଣ୍ଡିତମାନେ ସଂସ୍କୃତ ଶିକ୍ଷା ଲାଭ କରି ପୁରାଣ ପାଠ କରୁଥିଲେ। ତେଣୁ ସାରଳା ଦାସ ଅନୁପ୍ରାଣୀତ ହୋଇ ଜ୍ଞାନିପଣ୍ଡିତ ମାନଙ୍କ ସହ ମିଶିବାର ସୁଯୋଗ ପାଉଥିଲେ ଓ ନିକଟସ୍ଥ ଗ୍ରାମ ଚାଟଶାଳୀରେ ପାଠ ପଢିଥିଲେ । ଅପର ପକ୍ଷରେ ଜନଶ୍ରୁତିରୁ ଯଣାଯାଏ ସାରଳା ଦାସ ଜାତସ୍ମର ଥଲେ।
ପ୍ରଥମ ଜନ୍ମରେ ମୁହିଁ ହେଲି କାଳିଦାସ,
ଦ୍ୱିତୀୟ ଜନମେ ମୁହିଁ ମହା କାଳଧ୍ୱଂସ,
ତୃତୀୟ ଜନମେ ମୁହିଁ ସାରଳା ଦାସ କବି,
ଏ ମର୍ତ୍ତ୍ୟ ମଣ୍ଡଳେ ଆଉ ଜନମ ଲଭିବି।
ଅପରପକ୍ଷରେ ସମାଜରେ ସଂସ୍କୃତ ଭାଷା ଶିର୍ଷ ସୋପାନରେ ପହଞ୍ଚିଥିଲା ସତ କିନ୍ତୁ, ସାଧାରଣ ଜନତା ସଂସ୍କୃତ ଭାଷାର ବୋଧଗମ୍ୟରୁ ବଞ୍ଚିତଥିଲେ। ଏହି ଭାଷା ବୈଷମତାକୁ ଦୂର କରିବାକୁ ଯାଇ ସିଦ୍ଧେଶ୍ୱର ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କୁ ଆରଧନା କରି ଲେଖନୀ ତାଳପତ୍ର ଖୋଦା ଧରି ନିର୍ଭିକ ବୋଧଗମ୍ୟ ହେଲାଭଳି କାର୍ଯ୍ୟ କରିଥିଲେ। ଯାହାକୁ ଲୋକମାନେ ସହଜରେ ପାଠ କରିପାରିବେ। ସାରଳା ଦାସ ଯେଉଁ କାବ୍ୟ କବିତା ରଚନା କରିଥିଲେ ସେଥିରେ ଥିଲା ରାମାୟଣ,ମହାଭାରତ ଓ ଭାଗବତ।
ସେ ବାରମ୍ୱାର କହିଛନ୍ତି –
“ସେ ଦେବୀ ପ୍ରସନ୍ନେ କହିଲ ଆଦିଗ୍ରନ୍ଥ
ଆଦ୍ୟେ ରାମାୟଣ, ଦ୍ୱିତୀୟେ ମହାଭାରତ
ତୃତୀୟେ ପୁଣି ମୁଁ ଲେଖିଲି ଭାଗବତ
ମୁର୍ଖ ଅଜ୍ଞାନ ମୁହିଁ ଅଟଇ ଅପଣ୍ଡିତ”
ଓଡିଆ ଭାଷାର ପ୍ରଥମ ପୁରାଣକାର ସାରଳାଦାସ ଓଡିଆ ଆଧ୍ୟାତ୍ମିକ, ପୌରାଣିକ ସାହିତ୍ୟିକ ଜଗତରେ ଏକ ବଳିଷ୍ଠ ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ । ସେଥିପାଇଁ ସେ ହେଲେ ଆଦି କବି। ଯେଉଁ କଥା ବସ୍ତୁ ତାହା ଗ୍ରନ୍ଥରେ ଭାଷା ଅତି ସରଳ ଓ ସର୍ବଜନବୋଧ। ଯେଉଁ ସବୁ ଗ୍ରନ୍ଥ ସେ ରଚନା କରିଯାଇଛନ୍ତି , ସେଥିମଧ୍ୟରୁ ‘ସାରଳା ମହାଭାରତ’ ବୃହତ୍ତମ। ମହାଭାରତରେ ସେ ୧୮ ଟି ପର୍ବ ବର୍ଣ୍ଣିତ କରିଯାଇଛନ୍ତି। ସେଥି ମଧ୍ୟରେ ଓଡିଶାର ସବୁଦିଗକୁ ଲକ୍ଷ୍ୟ କରି ତାର ଭୌଗଳିକ ଅବସ୍ଥା ସହ ମଠ ମନ୍ଦିର, ଧର୍ମ ପୀଠ ଓ ପ୍ରାକୃତିକ ବିଭବକୁ ସ୍ଥାନ ଦେବାରେ ସେ ଭୁଲି ନାହାଁନ୍ତି। ‘ମହାଭାରତ’ ରେ ମଧ୍ୟ. ସେ ପ୍ରବଚନ, ନୀତିକଥା ଓ ଲୋକ କଥା କୁ ପ୍ରାଧନ୍ୟତା ଦେଇଛନ୍ତି।
ସର୍ବ ଶେଷରେ ଝଙ୍କଡବାସନୀ ମା’ ଶାରଳାଙ୍କ ଦୈବ କୃପା ରୁ ତାଙ୍କର କବିତ୍ୱ ଉଦୟ ହୋଇଥିଲା ବୋଲି ସେ ତାଙ୍କ ରଚିତ ଗ୍ରନ୍ଥମାନଙ୍କରେ କହିଛନ୍ତି –
“ସେ ଯାହା ରାତ୍ରରେ କହେ ତାହା ମୁଁ ଲେଖଇ,
ମୁର୍ଖ ଅପଣ୍ତିତ ମୋର ଶାସ୍ତ୍ର ଜ୍ଞାନ ନାହିଁ।“
ଆଜି ଆଦିକବିଙ୍କର ପବିତ୍ର ଶ୍ରାଦ୍ଧୋତ୍ସବ ପ୍ରତିବର୍ଷ ମାଘ ସପ୍ତମୀ ତିଥିରେ ପାଳନ କରାଯାଏ । ଯେଉଁ ମାଟିରେ ସାଧନା କରି ଆଦିକବି ତାଙ୍କର ଲେଖନୀ ଚାଳନା କରି ‘ମହାଭାରତ’ ଭଳି ଅର୍ପୂବ ଗ୍ରନ୍ଥ ରଚନା କରି ଯାଇଛନ୍ତି ତାଙ୍କର କୃତି ପାଇଁ ଆଜି ଓଡିଆ ଜାତି ଗର୍ବିତ । କବିଙ୍କର ବଂଶଧର ମାନେ ତାଙ୍କ ସାଧନାପୀଠ “ମୁନି ଗୋସାଇଁ ମଠ” ରେ ୧୪୯୫ ମସିହା ମାଘ ମାସ ଶୁକ୍ଲ ସପ୍ତମୀ ତିଥି ଦିନରୁ ମହାପ୍ରୟାଣ ଦିବସ (ପିଣ୍ଡ ଦାନ) କରି ଆସୁଛନ୍ତି । ସେହି ମହାନ କବିଙ୍କର ପୂର୍ଣ୍ୟ ତିଥିରେ ଅଧ୍ୟମ ଭକ୍ତି ପ୍ରଣାମ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।
ଆଲେଖ୍ୟ: ସୁରେଶ ଚନ୍ଦ୍ର ମହାନ୍ତି
ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ
ତେନ୍ତୁଳିପଦା, ଝଙ୍କଡ, ଜଗତସିଂହପୁର