ରାଜ୍ୟ ସରକାରଙ୍କ ସହ ଅର୍ଥ କମିଶନଙ୍କ ବୈଠକ, ଓଡ଼ିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଦାବି..

ଓଏଲ୍ ବ୍ୟୁରୋ: ରାଜ୍ୟ ସରକାରଙ୍କ ସହ ଅର୍ଥ କମିଶନଙ୍କ ବୈଠକ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗ ସଚିବ ଏବଂ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀଙ୍କ ସହ ଷୋଡ଼ଶ ଅର୍ଥ କମିଶନଙ୍କ ବୈଠକ ହୋଇଛି। କେନ୍ଦ୍ର ଅର୍ଥ କମିଶନଙ୍କ ନିକଟରେ ରାଜ୍ୟ ସରକାର ୧୨ ଲକ୍ଷ ୫୯ ହଜାର ୧୪୮ କୋଟିର ଦାବି ରଖିଛନ୍ତି। କେନ୍ଦ୍ରୀୟ ଟିକସ ଆୟରୁ ରାଜ୍ୟର ଭାଗକୁ ୪୧ ପ୍ରତିଶତରୁ ୫୦ ପ୍ରତିଶତ ବୃଦ୍ଧି ଦାବି କରିଛନ୍ତି।
ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ଟିକସର ଅଂଶ ୪.୫୨୮ ପ୍ରତିଶତରୁ ୪.୮୬୪ ପ୍ରତିଶତକୁ ବଢ଼ାଇବାକୁ ଦାବି। ଏହା ହେଲେ ଓଡ଼ିଶାକୁ ଅଧିକ ଆର୍ଥିକ ଲାଭ ମିଳିବ। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପାଣ୍ଠିରେ ପୂର୍ବରୁ କେନ୍ଦ୍ର ସରକାର ୭୫ ପ୍ରତିଶତ ଅନୁଦାନ ଦେଉଥିବା ବେଳେ ଏହାକୁ ଶତ ପ୍ରତିଶତ କରିବାକୁ ରାଜ୍ୟ ସରକାର ଦାବି କରିଛନ୍ତି। ଏହା ବ୍ୟତୀତ ସ୍ବାସ୍ଥ୍ୟ, ଜଳ ଯୋଗାଣ ଉପରେ ସ୍ଵତନ୍ତ୍ର ଆର୍ଥିକ ସହାୟତା ବଢ଼ାଇବାକୁ ଦାବି କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ଆମକୁ ଅଧିକ ଆର୍ଥିକ ସହାୟତା ମିଳିବା ନେଇ ଆମେ ଆଶାବାଦୀ ଅଛୁ। ଏହା ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ। ରାଜ୍ୟ ସରକାର ସହରୀକରଣ, କୃଷି ଏବଂ ଗ୍ରାମ୍ୟ ଉନ୍ନୟନ, ଏମଏସଏମଇ, ବନ୍ଦର ଭିତ୍ତିକ ବିକାଶ ଏବଂ ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରୁଛୁ। ବିକଶିତ ଭାରତ ଗଠନରେ ଓଡ଼ିଶାକୁ ଗ୍ରୋଥ ଇଞ୍ଜିନ କରିବକୁ ପ୍ରଧାନ ମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି। ଆଗାମୀ ଦିନରେ ଓଡ଼ିଶା ଦେଶର ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ସାମିଲ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।