ଆସନ୍ତା ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହେବ ବାଲ୍ ବାଟିକା, ପ୍ରସ୍ତୁତି ନେଇ ମନ୍ତ୍ରୀଙ୍କ ସୂଚନା..

ଓଏଲ୍ ବ୍ୟୁରୋ: ଗତକାଲି ରାଜ୍ୟ ବଜେଟ ଉପସ୍ଥାପିତ ହୋଇଛି। ଚଳିତ ବଜେଟରେ ଶିକ୍ଷାକୁ ଗୁରୁତ୍ୱ ମିଳିଛି। ନୂଆ ଶିକ୍ଷାନୀତି ରାଜ୍ୟରେ ଲାଗୁ ହୋଇଥିବାବେଳେ ଭିତ୍ତିଭୂମି ପ୍ରସ୍ତୁତ ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଆସନ୍ତା ଶିକ୍ଷାବର୍ଷରୁ ବାଲ୍ ବାଟିକା କାର୍ଯ୍ୟକାରୀ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।
ନୂତନ ଶିକ୍ଷାନୀତି ଅନୁଯାୟୀ, ବିଦ୍ୟାଳୟ ଶିକ୍ଷାବ୍ୟବସ୍ଥାରେ ୫+୩+୩+୪ ବ୍ୟବସ୍ଥା ପ୍ରଚଳିତ ହେବ। ଏବେ ୫ ବର୍ଷ ହେଲେ ସରକାରୀ ବିଦ୍ୟାଳୟରେ ନାମଲେଖା ଯାଉଥିବାବେଳେ ଘରୋଇ ବିଦ୍ୟାଳୟଗୁଡ଼ିକରେ ୨ରୁ ୩ ବର୍ଷର ଶିଶୁକୁ କ୍ରୀଡ଼ାଶ୍ରେଣୀରେ ନାମ ଲେଖାଯାଉଛି। ନୂଆ ଶିକ୍ଷାନୀତିରେ ୩ ବର୍ଷରୁ ପିଲାର ପାଠପଢ଼ା ଆରମ୍ଭ ହେବ। ୩ ରୁ ୬ବର୍ଷ ପର୍ଯ୍ୟନ୍ତ ପିଲାଟି ଅଙ୍ଗନାଓ୍ବାଡି/ବାଲ୍ବାଟିକାରେ ଖେଳକୁଦ ମାଧ୍ୟମରେ ଶିକ୍ଷାଅର୍ଜନ କରିବ।
ତା’ପର ଦୁଇବର୍ଷ ୬ ରୁ ୮ ବର୍ଷ ପର୍ଯ୍ୟନ୍ତ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ପିଲାଟି ପାଠ ପଢ଼ିବ। ୩ ରୁ ୮ ବର୍ଷ ପର୍ଯ୍ୟନ୍ତ ଏହି ପ୍ରଥମ ୫ବର୍ଷର ଶିକ୍ଷାକୁ ମୂଳଦୁଆ ଶିକ୍ଷା ବୋଲି କୁହାଯାଉଛି। ୩ ରୁ ୬ବର୍ଷ ପର୍ଯ୍ୟନ୍ତ ପିଲାର ଶିକ୍ଷାଗ୍ରହଣ ପ୍ରବଣତା ଅଧିକ ଥାଏ ବୋଲି ବୈଜ୍ଞାନିକ ଗବେଷଣାରୁ ଜଣାପଡ଼ିଛି। ତେଣୁ ଏହି ସମୟରେ ଶିକ୍ଷାଦାନ କଲେ ପିଲାମାନେ ତା’ର ସୁଫଳ ପାଇବେ ବୋଲି ସରକାର ଆଶା ରଖିଛନ୍ତି। ଏହି ସମୟରେ ଗପ, ଗୀତ, ଖେଳ ଜରିଆରେ ଶିକ୍ଷାଦାନ କରାଯିବ।
ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟଖସଡ଼ାକୁ ପ୍ରାରମ୍ଭିକ ପାଠ୍ୟଖସଡ଼ା କୁହାଯିବ। ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ମଧ୍ୟ ପାଠ୍ୟଖସଡ଼ା ଓ ନବମରୁ ଦ୍ୱାଦଶପର୍ଯ୍ୟନ୍ତ ପାଠ୍ୟଖସଡ଼ାକୁ ମାଧ୍ୟମିକ ପାଠ୍ୟଖସଡ଼ା କୁହାଯିବ। ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ଗଣିତ ଓ ପ୍ରାଥମିକ ଶ୍ରେଣୀର ଭାଷା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ପାଇଁ ପ୍ରୋତ୍ସାହନ ଦିଆଯିବ ଅର୍ଥାତ୍ ଆଞ୍ଚଳିକ ଭାଷା ବାଧ୍ୟତାମୂଳକ ହେବନାହିଁ।