ଆଜି ଭାରତ ଅଷ୍ଟ୍ରେଲିଆ ମହାମୁକାବିଲା: ଫାଇନାଲ ପାଇଁ ଲଢ଼ିବେ ଦୁଇ ଦଳ

ଓଏଲ୍ ବ୍ୟୁରୋ: ଆଜି ଭାରତ ଅଷ୍ଟ୍ରେଲିଆ ମହାମୁକାବିଲା। ଚାମ୍ପିଆନ୍ସ ଟ୍ରଫିରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଅପରାଜୟ ଭାରତ ଆଜି ସେମିଫାଇନାଲରେ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହେବ। ଶେଷ ଗ୍ରୁପ୍ ଷ୍ଟେଜ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇବା ପରେ ଅଷ୍ଟ୍ରେଲିଆ ସହ ସେମିଫାଇନାଲ ଟକ୍କର ପାଇଁ ସୂଚୀ ସ୍ଥିର ହୋଇଛି। ଆଜି ସେମିରେ ରୋହିତ ବାହିନୀ କଙ୍ଗାରୁ ଦଳ ସହ ଲଢ଼ିବ। ଆଉ ଯେଉଁ ଟିମ ବିଜୟୀ ହେବ ସେ ଆସନ୍ତା ୯ ତାରିଖରେ ଫାଇନାଲ ମ୍ୟାଚ ଖେଳିବ। ଭାରତୀୟ ସମୟ ଦିନ ୨.୩୦ରେ ଦୁବାଇରେ ରୋହିତ ବାହିନୀ କଙ୍ଗାରୁ ଦଳ ସହ ଲଢ଼ିବ।
ଭାରତୀୟ ପୂର୍ବତନ ଖେଳାଳି ସୁନୀଲ ଗାଭାସ୍କର ଆଜି ହେବାକୁ ଯାଉଥିବା ଇଣ୍ଡିଆ ଅଷ୍ଟ୍ରେଲିଆ ସେମିଫାଇନାଲ ମ୍ୟାଚକୁ ନେଇ ଏକ ଟିପ୍ପଣୀ ଦେଇଛନ୍ତି ଯାହା ଇଣ୍ଡିଆକୁ ଜିତିବାରେ ସହାୟକ ହୋଇପାରେ । ଦୁବାଇରେ ହେବାକୁ ଯାଉଥିବା ସେମିଫାଇନାଲ ମ୍ୟାଚରେ ଇଣ୍ଡିଆକୁ ଲକ୍ଷ ସ୍ଥିର ନକରି ଲକ୍ଷ୍ୟର ପିଛା କରିବା ଭଲ ବୋଲି ଗାଭାସ୍କର ଜାତୀୟ ଗଣମାଧ୍ୟମର ଏକ ସାକ୍ଷାତକାରରେ ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ପରାମର୍ଶ ଦେଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଦୁବାଇ ପିଚରେ ଇଣ୍ଡିଆ ଜିତିବାର ଅଧିକ ସମ୍ଭାବନା ରହିଛି, କାରଣ ଏଠାରେ ସ୍ପିନ୍ ପାଇଁ ଅନୁକୂଳ ପରିସ୍ଥିତି ରହିଥିବା ବେଳେ ଇଣ୍ଡିଆର ସ୍ପିନର ମାନେ ଭଲ ଯୋଜନା କରିବା ଉଚିତ। ସେହିପରି ଟିମ ଅଷ୍ଟ୍ରେଲିଆ ବର୍ତ୍ତମାନ ପାଇଁ କେବଳ ଆକ୍ରମକ ଭାବେ ବ୍ୟାଟିଂ କରୁଛି ସତ କିନ୍ତୁ ସ୍ପିନ୍ ବୋଲିଂର ଗଭୀରତା ଏତେ ଅଧିକ ମଧ୍ୟ ନୁହଁ। ଏହା ସହ ଅଷ୍ଟ୍ରେଲିଆ ପ୍ୟାଟ୍ କମିନ୍ସ, ଜୋଶ୍ ହାଜେଲଉଡ୍ ଏବଂ ମିଚେଲ୍ ଷ୍ଟାର୍କଙ୍କ ପରି ପ୍ରମୁଖ ପେସରଙ୍କୁ ହରାଇଛନ୍ତି। ତେଣୁ ଇଣ୍ଡିଆକୁ ସେମାନଙ୍କ ବିରୁଦ୍ଧରେ ଲକ୍ଷ୍ୟ ସ୍ଥିର ନକରି ଲକ୍ଷ୍ୟର ପିଛା କରିବା ଭଲ ବୋଲି ସେ କହିଛନ୍ତି।