ନିଯୁକ୍ତି ପାଇଁ ଶାରିରୀକ ପରୀକ୍ଷା ସମୟରେ ଯୁବକଙ୍କ ମୃତ୍ୟୁ: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଲାଇଭ୍ ଷ୍ଟକ ଇନ୍ସ୍ପେକ୍ଟର ପଦବୀ ନିଯୁକ୍ତି ପାଇଁ ଶାରିରୀକ ପରୀକ୍ଷା ଚାଲିଥିବା ସମୟରେ କେନ୍ଦୁଝରର ବ୍ୟୋମକେଶ ନାୟକ ଓ ସୁନ୍ଦରଗଡର ପ୍ରବୀଣ କୁମାର ପଣ୍ଡାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଏହି ଦୁଇ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯିବ।
ସୂଚନା ଅନୁସାରେ, ବନରକ୍ଷୀ, ବନପାଳ ଏବଂ ପଶୁପାଳନ ନିରୀକ୍ଷକଙ୍କ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା କରାଯାଉଥିଲା। ପ୍ରବୀଣ ବନରକ୍ଷୀ ଏବଂ ବନପାଳ ପଦବୀ ପାଇଁ ଆବେଦନ କରିଥିଲେ। ଭବାନୀପୁରରୁ ବରଗଡା ପର୍ଯ୍ୟନ୍ତ ୨୫ କିଲୋମିଟର ଦୌଡ଼ ସମୟରେ, ପ୍ରବୀଣ ସଦର ପୋଲିସ ସୀମା ଅନ୍ତର୍ଗତ କିରେଇ ନିକଟରେ ଖସି ପଡ଼ିଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ସେପଟେ କେନ୍ଦୁଝର ଜିଲାରେ ଅନୁଷ୍ଠିତ ହେଉଥିବା ବନବିଭାଗ ପାଇଁ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଯୁକ୍ତି ପ୍ରକ୍ରିୟାର ଶାରୀରିକ ପରୀକ୍ଷା ସୋମବାର କେନ୍ଦୁଝର ସହର ଉପକଣ୍ଠ ନରଣପୁର କାଠ ଡିପୋଠାରୁ ଆରମ୍ଭ ହୋଇଥିଲା। ଏଥିପାଇଁ ନରଣ ପୁର ଠାରୁ କଦଳିପସୀ ଭାୟା ଖୋଳପା ଦେଇ ଯାଇଥିବା ରାସ୍ତା ଗାଡି ଚଳାଚଳ ବନ୍ଦ ରହିବ ବୋଲି ଜିଲାପାଳ ଏକ ବିଜ୍ଞପ୍ତିରେ ସୂଚନା ଦେଇଥିଲେ। ଶାରୀରିକ ପରୀକ୍ଷା ପାଇଁ ଏହି ରାସ୍ତାରେ ଆଶାୟୀମାନେ ପ୍ରାୟ ୧୨. ୫କିଲୋମିଟର ରାସ୍ତା ଚାଲିବାକୁ ଥିବାବେଳେ ୧୫୦ଜଣ ଆଶାୟୀ ଏଥିରେ ଭାଗ ନେଇଥିଲେ।
ତେବେ ସୋମବାର ୨୫ କିମି ଚାଲିବା ପାଇଁ ଅନୁଷ୍ଠିତ ପ୍ରତିଯୋଗିତାରେ ଜଣେ ଆଶାୟୀ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କ ନାମ ବ୍ୟୋମକେଶ ନାଏକ। ଘର ହରିଚନ୍ଦନପୁର ବ୍ଲକ ଓସ୍ତପଙ୍ଗା ବୋଲି ଜଣାପଡିଛି। ସେ ଅସୁସ୍ଥ ହେବା ପରେ ତାଙ୍କୁ ପ୍ରଥମେ କେନ୍ଦୁଝର ଜିଲା ମୁଖ୍ୟାଳୟ ଡାକ୍ତରଖାନା ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡିଏଫଓ କେନ୍ଦୁଝର ଧନରାଜ ଏଚଡି ସୂଚନା ଦେଇଛନ୍ତି। ଦୁଇଦିନ ହେଲା ଖରାର ପ୍ରକୋପ ବୃଦ୍ଧି ପାଇଥିବାରୁ ଦୀର୍ଘ ବାଟ ଚାଲିବା କାରଣରୁ ଅସୁସ୍ଥ ହୋଇ ପଡିଥିବା ଏବଂ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି।