ଖୁବଶୀଘ୍ର ହୋଇପାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ଭେଟିବା ପରେ ବଢ଼ିଲା ଚର୍ଚ୍ଚା

ଓଏଲ୍ ବ୍ୟୁରୋ: ଭାରତୀୟ ଜନତା ପାର୍ଟିର ସରକାର ଓ ସଙ୍ଗଠନରେ ହେବାକୁ ଯାଉଛି ବଡ଼ ଅଦଳବଦଳ। ଖୁବଶୀଘ୍ର ଭାରତୀୟ ଜନତା ପାର୍ଟିକୁ ମିଳିବ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଆସନ୍ତା ରବିବାର ମଧ୍ୟରେ ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାମ ଘୋଷଣା ହୋଇପାରେ। ଏଥିସହିତ ଦଳର ସଙ୍ଗଠନରେ ବଡ଼ ଅଦଳବଦଳ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପଟେ ମୋଦି ସରକାରର ମନ୍ତ୍ରିମଣ୍ଡଳର ବିସ୍ତାର ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଦଳ ଓ ସରକାରରେ ଏଭଳି ବଡ଼ ପରିବର୍ତ୍ତନ ହେବାକୁ ଯାଉଥିବା ବେଳେ ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୯ ତାରିଖରେ ହେବାକୁ ଥିବା ଜମ୍ମୁ କଶ୍ମୀର ଗସ୍ତକୁ ରଦ୍ଦ କରାଯାଇଛି। ଦଳୀୟ ସଙ୍ଗଠନ ଓ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନଜରରେ ରଖି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଘରେ ମଙ୍ଗଳବାର ରାତିରେ ପାଖାପାଖି ୩ ଘଣ୍ଟାର ରୁଦ୍ଧଦ୍ବାର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ ଥିଲେ।
ଗୋଟିଏ ପଟେ ବିଜେପିର ୩ ହାଇଭୋଲଟେଜ ନେତା ଦଳୀୟ ସଙ୍ଗଠନ ଓ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ବୈଠକ କରୁଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଥିଲେ। ଯାହା ଜାତୀୟ ରାଜନୀତିକୁ ଉଷ୍ମ କରିଛି।