ବିସିସିଆଇର ବଡ଼ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ୪ ସଦସ୍ୟ

ଓଏଲ୍ ବ୍ୟୁରୋ: କଠୋର ଆଭିମୁଖ୍ୟ ପ୍ରକାଶ କରିଛି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)। ରୋମାଞ୍ଚକ ମୋଡରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ ପହଁଞ୍ଚିବା ବେଳେ ବିସିସିଆଇ ଟିମ୍ ଇଣ୍ଡିଆର ସପୋର୍ଟ ଷ୍ଟାଫ୍ ସଦସ୍ୟଙ୍କୁ ବହିଷ୍କାର କରିଥିବା ଖବର ଏବେ ଖବର ଶିରୋନାମା ପାଲଟିଛି।
ଜାତୀୟ ଗଣମାଧ୍ୟମ ସଂସ୍ଥା ଦୈନିକ ଜାଗରଣରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟ ଦଳର ସହାୟକ କୋଚ ଅଭିଷେକ ନାୟରଙ୍କୁ କୋଚିଂ ଟିମ୍ରୁ ବିସିସିଆଇ କାଢ଼ି ଦେଇଛି। ୮ ମାସ ତଳେ ଅଭିଷେକ ଭାରତୀୟ ଦଳର କୋଚିଂ ଟିମ୍ରେ ଯୋଗ ଦେଇଥିଲେ। ଅଭିଷେକଙ୍କ ବ୍ୟତୀତ ଫିଲ୍ଡିଂ କୋଚ୍ ଟି ଦିଲ୍ଲୀପ, ଟ୍ରେନର ସୋହମ ଦେସାଇ ଓ ଜଣେ ମସାଜ କରୁଥିବା ଷ୍ଟାଫଙ୍କୁ ବାହାର ରାସ୍ତା ଦେଖାଇଛି ବିସିସିଆଇ। ହେଲେ ଏନେଇ ବିସିସିଆଇ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ।
ଅଷ୍ଟ୍ରେଲିଆରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିରେ ଟିମ୍ ଇଣ୍ଡିଆ ଖରାପ ପ୍ରଦର୍ଶନ ଓ ଡ୍ରେସିଂ ରୁମ୍ ଭିତର କଥା ନିଜ୍ୟୁରେ ବାଜିବା ପରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ବିିସିସିଆଇ ଗ୍ରହଣ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫି ୨୦୨୫ରେ ଦଳର ନିରାଶାଜନକ ପ୍ରଦର୍ଶନ ଯୋଗୁଁ ବିସିସିଆଇର ଏହି କାର୍ଯ୍ୟାନୁଷ୍ଠାନ ବୋଲି ପ୍ରାଥମିକ ଭାବରେ ବିଶ୍ୱାସ କରାଯାଉଛି। ତାପୂର୍ବରୁ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଘରୋଇ ମାଟିରେ ୦-୩ରେ ପରାସ୍ତ ହୋଇଥିଲା। ଯେଉଥିପାଇଁ ଭାରତୀୟ କ୍ରିକେଟ ଦଳର କୋଚିଂ ଷ୍ଟାଫଙ୍କ ଉପରେ ଖପ୍ପା ହୋଇଥିଲା ବିସିସିଆଇ।