ଅକ୍ଷୟ ତୃତୀୟାରେ ଅନୁଭୂତି ବଖାଣିଲେ ମୁଖ୍ୟମନ୍ତ୍ରୀ, କହିଲେ-ମୁଁ ରାତି ୩ଟାରୁ ଉଠି ଚାଷ କରିଛି

ଓଏଲ୍ ବ୍ୟୁରୋ: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସ୍ତରୀୟ କୃଷକ ଦିବସ ଉତ୍ସବ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ କିଷାନର ସହାୟତା ରାଶି ଚାଷୀଙ୍କୁ ପ୍ରଦାନ କରିଛନ୍ତି। ୫୦ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ୧ ହଜାର କୋଟି ଟଙ୍କାର ସହାୟତା ରାଶି ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଓୟୁଏଟିର ଶୈକ୍ଷିକ କୃଷି ଫାର୍ମ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦବୋଧନ ଦେଇ କହିଛନ୍ତି, ସରକାର ସବୁ ବେଳେ ଚାଷୀଙ୍କ ହିତସାଧନ ଲାଗି ପ୍ରୟାସରତ।
ନିଜ ଅନୁଭୂତି ବଖାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, କଲେଜରେ ପଢ଼ିବା ଦିନରୁ ଚାଷର ଅନୁଭୂତି ଅଛି। ମୁଁ ଚାଷୀ ପରିବାରରୁ ଆସିଛି, ଖରାରେ ହଳ କରିଛି। +୨ ପଢ଼ିବା ବେଳେ ରାତି ୩ଟାରୁ ଉଠି ଚାଷ କରିଛି। କୃଷି କାର୍ଯ୍ୟ କେତେ କଠିନ ତାହା ଅନୁଭବ କରିଛି। ଆଜି ଉପମୁଖ୍ୟମନ୍ତ୍ରୀ ପୁଣି ହଳ ଲଙ୍ଗଳ ଧରାଇଛନ୍ତି।
ଅକ୍ଷୟ ତୃତୀୟା ଉପଲକ୍ଷେ ଅଖି ମୁଠି ଅନୁକୂଳ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନାମମାତ୍ର, କ୍ଷୁଦ୍ର ଏବଂ ଭୂମିହୀନ ଚାଷୀଙ୍କ ଖାତାକୁ ସିଏମ କିଷାନ ଟଙ୍କା ପଠାଇଛନ୍ତି। ଏକ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ଏକାମ୍ର ବିଧାୟକ ବାବୁ ସିଂହ ଉପସ୍ଥିତ ଥିଲେ।