Odisha Link
Bridging the Missing Links in Odisha

ଉପଲବ୍ଧ ହେଲା ମାଟ୍ରିକ୍ ସାର୍ଟିଫିକେଟ୍‌, ଜାଣନ୍ତୁ କେମିତି କରିବେ ଡାଉନ୍‌ଲୋଡ୍‌…

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଛି ୨୦୨୫ର ମାଟ୍ରିକ ରେଜଲ୍ଟ। ମାଧ୍ୟମିକ ବୋର୍ଡ ଅଫିସ କାର୍ଯ୍ୟାଳୟରେ ବିଧିବଧ ଭାବେ ପରୀକ୍ଷା ଫଳ ପ୍ରକାଶ ପାଇଛି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ୍ ଉପସ୍ଥିତ ରହି ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଗତବର୍ଷ ଅପେକ୍ଷା ଚଳିତ ବର୍ଷ କମିଛି ପାସ୍ ହାର। ଗତ ବର୍ଷ ମାଟ୍ରିକ ରେଜଲ୍ଟରେ ପାସ୍ ହାର ୯୬.୨୭ ପାସ୍ ହାର ଥିବାବେଳେ ଚଳିତ ବର୍ଷ ପାସ୍ ହାର ରହିଛି ୯୪.୯୩ ପ୍ରତିଶତ। ଚଳିତ ମାଟ୍ରିକ ରେଜଲ୍ଟରେ ଗଜପତିରେ ପାସ୍ ହାର ସର୍ବାଧିକ ଥିବାବେଳେ କୋରାପୁଟରେ ରହିଛି ସର୍ବନିମ୍ନ।

ସଦ୍ୟ ପ୍ରକାଶିତ ମାଟ୍ରିକ୍‌ ଫଳର ସାର୍ଟିଫିକେଟ୍‌ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ୱେବ୍‌ସାଇଟ୍‌ରେ ସୋମବାର ସନ୍ଧ୍ୟା ୭ଟାରୁ ଉପଲବ୍‌ଧ ହୋଇଛି। ୱେବ୍‌ସାଇଟ୍‌ରେ ୭ ଦିନ ଯାଏଁ ମାଗଣାରେ ଉପଲବ୍ଧ ରହିବ ମାଟ୍ରିକ ସାର୍ଟିଫିକେଟ୍। ପାସ୍‌ କରିଥିବା ପରୀକ୍ଷାର୍ଥୀମାନେ ସେମାନଙ୍କ ଡିଜିଟାଲ୍‌ ସାର୍ଟିଫିକେଟ୍‌ ଘରେ ବସି ମଧ୍ୟ ପାଇପାରିବେ।

ସେହିପରି ପରୀକ୍ଷାର୍ଥୀମାନେ ନିଜ ହ୍ୱାଟସ୍‌ଆପ୍‌ରେ ମଧ୍ୟ ଏହି ଡିଜିଟାଲ୍‌ ସାର୍ଟିଫିକେଟ୍‌ ସିଧାସଳଖ ପାଇବା ଲାଗି ସୁଯୋଗ ରହିଛି। ଏଥିଲାଗି ବୋର୍ଡ ପକ୍ଷରୁ ୭୭୧୦୦୫୮୧୯୨ ହ୍ୱାଟସ୍‌ଆପ୍‌ ନମ୍ବର ଜାରି କରାଯାଇଛି। ଉକ୍ତ ହ୍ୱାଟସ୍‌ଆପ୍‌କୁ ମେସେଜ୍‌ ପଠାଇ ଆବେଦନକାରୀମାନେ ସହଜରେ ମାଟ୍ରିକ୍‌ ସାର୍ଟିଫିକେଟ୍‌ ପାଇପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ପରୀକ୍ଷାର୍ଥୀମାନେ ୭ ଦିନ ମଧ୍ୟରେ ଏହି ଡିଜିଟାଲ୍‌ ସାର୍ଟିଫିକେଟ୍‌ ୱେବ୍‌ସାଇଟ୍‌ରୁ ଯେତେଥର ଡାଉନ୍‌ଲୋଡ୍‌ କଲେ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ୭ ଦିନ ପରେ ପ୍ରଥମ ଥର ଡାଉନ୍‌ଲୋଡ୍‌ କଲେ କୌଣସି ଦେୟ ଦେବାକୁ ପଡିବ ନାହିଁ। ମାତ୍ର ଏହାପରେ ଡାଉନ୍‌ଲୋଡ କଲେ ଥରକେ ୫୦୦ ଟଙ୍କା ଅନ୍‌ଲାଇନ୍‌ରେ ଦେବାକୁ ପଡିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ହ୍ୱାଟସ୍‌ଆପ୍‌ରେ କିପରି ସାର୍ଟିଫିକେଟ୍‌ ପାଇପାରିବେ ସେ ସମ୍ପର୍କରେ ବୋର୍ଡ ପକ୍ଷରୁ ଅବଗତ କରାଯାଇଥିବା ସୋପାନ ସମ୍ପର୍କରେ ଉଲ୍ଲେଖ ରହିଛି।