ଜୁନ୍ ୨୩ରେ ଉପ-ନିର୍ବାଚନ, ସକାଳ ୭ରୁ ଭୋଟ ଗ୍ରହଣ

ଓଏଲ୍ ବ୍ୟୁରୋ: ବାଜିଲା ନିର୍ବାଚନୀ ବିଗୁଲ। ଆସନ୍ତା ଜୁନ୍ ୨୩ ତାରିଖରେ ୪୩ଟି ସରପଞ୍ଚ ଏବଂ ୨୭୨ ୱାର୍ଡ ମେମ୍ୱର ପଦବୀ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ୨୪ ତାରିଖରେ ଭୋଟ ଗଣତି ସହିତ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ମଙ୍ଗଳବାର ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଜ୍ଞପ୍ତି ଅନୁଯାୟୀ, ୨୦ଟି ଜିଲ୍ଲାରେ ଖାଲିଥିବା ସରପଞ୍ଚ ଏବଂ ୨୩ ଜିଲ୍ଲାରେ ୱାର୍ଡ ମେମ୍ୱର ପଦବୀ ପାଇଁ ନିର୍ବାଚନ ହେବ। ନିର୍ବାଚନ ପାଇଁ ଚଳିତ ମାସ ୨୦ ତାରିଖରୁ ଜୁନ୍ ୨୪ ଯାଏଁ ଉକ୍ତ ଅଞ୍ଚଳରେ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିବ ବୋଲି ଜଣାପଡିଛି।
ସୂଚନା ଅନୁସାରେ, ମୃତ୍ୟୁ ଇସ୍ତଫା ଅବା ଅଯୋଗ୍ୟ ଘୋଷଣା ହେବା ଫଳରେ ବିଭିନ୍ନ ଜିଲ୍ଲାରେ ପରପଞ୍ଚ ଓ ୱାର୍ଡ ମେମ୍ୱରଙ୍କ ଆସନ ଖାଲି ରହିଛି। ଉପ-ଜିଲ୍ଲାପାଳଙ୍କ ଠାରୁ ଏ ସମ୍ପର୍କିତ ସୂଚନା ହସ୍ତଗତ ହେବା ପରେ ନିର୍ବାଚନ ପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଥିଲା।
ଚଳିତ ମାସ ୨୨ ତାରିଖରେ ନିର୍ବାଚନ ସମ୍ପର୍କରେ ଘୋଷଣା କରାଯିବ ଏବଂ ୨୬ରୁ ୩୧ ତାରିଖ ମଧ୍ୟରେ ନାମାଙ୍କନ ଦାଖଲ କରାଯିବ। ଜୁନ୍ ୪ ତାରିଖ ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଜୁନ୍ ୨୩ ତାରିଖ ସକାଳ ୭ରୁ ଅପରାହ୍ନ ୧ଟା ମଧ୍ୟରେ ଭୋଟ ଗ୍ରହଣ କରାଯିବ। ପରଦିନ ଭୋଟ ଗଣତି ଏବଂ ୨୫ ତାରିଖରେ ନିର୍ବାଚିତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ।