Odisha Link
Bridging the Missing Links in Odisha

ରାଜ୍ୟରେ ଡାଇରିଆ ଓ ଝାଡ଼ାବାନ୍ତି ପ୍ରସଙ୍ଗ: ସବୁ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ପ୍ରଥମେ ଯାଜପୁର ପରେ ପରେ ବିଭିନ୍ନ ଜିଲ୍ଲାରେ ବ୍ୟାପୁଛି ଝାଡ଼ାବାନ୍ତି। ଯାହା ଏବେ ଚିନ୍ତାର କାରଣ ପାଲଟିଛି। ରାଜ୍ୟରେ ଡାଇରିଆ ଓ ଝାଡ଼ାବାନ୍ତି ପ୍ରସଙ୍ଗ ସ୍ବାସ୍ଥ୍ୟ ସଚିବ ପ୍ରତିକ୍ରିୟା ରଖି କହିଛନ୍ତି, କେବଳ ୫ ଜିଲ୍ଲାରେ ନୁହେଁ ସବୁ ଜିଲ୍ଲାକୁ ଝାଡ଼ାବାନ୍ତି ବ୍ୟାପିବା ନେଇ ଆଲର୍ଟ ନିର୍ଦ୍ଦେଶ ଦିଆଯାଇଛି। ସବୁ ଜିଲ୍ଲାରେ ସତର୍କତା ମୂଳକ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି। ଜଳ ଉତ୍ସ ଗୁଡ଼ିକୁ ସଫା ରଖିବା ସହ ବିଶୋଧନ ପାଇଁ ପଦକ୍ଷେପ ନେବାକୁ ପ୍ରୟାସ ଆରମ୍ଭ ହୋଇଛି।

ଆଜି ସକାଳ ୧୦ଟା ସୁଦ୍ଧା ୫ ଜିଲ୍ଲାରୁ ୩୦୦ନୂଆ କେସ ଚିହ୍ନଟ ହୋଇଛି। ଡାଇରିଆ ବ୍ୟାପିବାର ଗୋଟିଏ ସୋର୍ସ ଜଣାପଡିନି। ଏଣୁ ସବୁ ସୋର୍ସକୁ ବିଶୋଧନ ପାଇଁ ବ୍ୟବସ୍ଥା ନିଆଯାଉଛି। ଲୋକଙ୍କୁ ସଚେତନ ପାଇଁ ଗାଁ ଗାଁରେ ମାଇକ ଯୋଗେ ପ୍ରଚାର ଚାଲିଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏଭଳି ପ୍ରକ୍ରିୟା ଜାରି ରଖିବାକୁ ନିର୍ଦ୍ଦେଶ ରହିଛି। ପ୍ରଥମେ ଜିଲ୍ଲା ଓ ପରେ ରାଜ୍ୟ ସ୍ତରୀୟ ସମୀକ୍ଷା କରାଯିବ। କେନ୍ଦ୍ରୀୟ ଟିମ ଏବେବି ଅଛନ୍ତି ଏବଂ ଅନୁଧ୍ୟାନ କରୁଛନ୍ତି। ପ୍ରତ୍ୟେକ ଦିନ ରାଜ୍ୟ ସ୍ତରୀୟ ସମୀକ୍ଷା ହେବ। ରୋଗୀଙ୍କୁ ୨୪ ଘଣ୍ଟିଆ ନିରୀକ୍ଷଣରେ ରଖାଯାଇଛି। ଆସନ୍ତାକାଲି କେନ୍ଦ୍ରୀୟ ଟିମ୍‌ ସହ ଆଲୋଚନା ହେବ। ଯେତିକି ପରୀକ୍ଷା ହୋଇଥିଲା ୧୦% କଲେରା ବାହାରିଛି।

ଅନ୍ୟପଟେ, ରାଜ୍ୟରେ ଡାଇରିଆ ଓ ଝାଡ଼ାବାନ୍ତି ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବାବେଳେ ମୁଖ୍ୟ ସଚିବଙ୍କ ଆଗରେ ତଥ୍ୟ ରଖୁଛନ୍ତି ସ୍ବାସ୍ଥ୍ୟ ବିଭାଗ ଅଧିକାରୀ। ସ୍ବାସ୍ଥ୍ୟ ସଚିବ, ସ୍ବାସ୍ଥ୍ୟ ନିର୍ଦ୍ଦେଶକ, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସମେତ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ରହିଛନ୍ତି। ରାଜ୍ୟରେ ବଢୁଥିବା ଝାଡ଼ାବାନ୍ତି ନେଇ ଆଲୋଚନା କରାଯାଇଛି।