Odisha Link
Bridging the Missing Links in Odisha

ଉପ-ନିର୍ବାଚନ ଫଳାଫଳ: ବାଜି ମାରିଲା ଆପ୍, କେରଳରେ କଂଗ୍ରେସ ବିଜୟୀ

ଓଏଲ୍‌ ବ୍ୟୁରୋ: ପାଞ୍ଚଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇଛି। ପାଞ୍ଚଟି ଆସନ ମଧ୍ୟରୁ ଆମ ଆଦମୀ ପାର୍ଟି ଦୁଇଟି ଆସନ ଦଖଲ କରିଛି। ସେହିପରି ବିଜେପି, କଂଗ୍ରେସ ଏବଂ ଟିଏମସିକୁ ଗୋଟିଏ ଲେଖାଏଁ ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି। ନିର୍ବାଚନ କମିସନଙ୍କ ଅନୁଯାୟୀ, ପଶ୍ଚିମବଙ୍ଗର କାଲିଗଞ୍ଜ ଉପନିର୍ବାଚନରେ ଟିଏମସି ପ୍ରାର୍ଥୀ ଆଲିଫା ଅହମ୍ମଦ ବିଜେପି ପ୍ରାର୍ଥୀ ଆଶିଷ ଘୋଷଙ୍କୁ ୪୮,୬୭୩ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ସେହିପରି କେରଳର ନିଲାମ୍ବୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଆର୍ଯ୍ୟଦାନ ଶୌକତ ବିଜୟୀ ହୋଇଛନ୍ତି।

ଆମ ଆଦମୀ ପାର୍ଟିର ପ୍ରାର୍ଥୀ ସଞ୍ଜୀବ ଆରୋରା ଲୁଧିଆନା ପଶ୍ଚିମ ଆସନରୁ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି, ଆଉ ଆପ୍ ପ୍ରାର୍ଥୀ ଗୋପାଳ ଇଟାଲିଆ ଗୁଜରାଟର ବିସାବାଦର ଆସନରୁ ୧୭୫୮୧ ଭୋଟରେ ବିଜୟୀ ହୋଇଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ରାଜେନ୍ଦ୍ର ଛାବ୍ରା ଗୁଜରାଟର କାଡି (ଏସସି) ଆସନରୁ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ରମେଶ ଛାବ୍ରାଙ୍କୁ ୩୯,୪୫୨ ଭୋଟରେ ପରାସ୍ତ କରିଛନ୍ତି।

ଗୁରୁବାର ଦିନ ପଞ୍ଜାବର ଲୁଧିଆନା ପଶ୍ଚିମ, ପଶ୍ଚିମବଙ୍ଗର କାଲିଗଞ୍ଜ, ଗୁଜରାଟର ବିଦାଶ୍ୱର-କାଡି ଏବଂ କେରଳର ନିଲାମ୍ବୁର ସମେତ ପାଞ୍ଚଟି ବିଧାନସଭା ଆସନରେ ମତଦାନ ହୋଇଥିଲା। ଲୁଧିଆନା ପଶ୍ଚିମ ଶାସକ ଆମ ଆଦମୀ ପାର୍ଟି ପାଇଁ ବହୁତ ସ୍ୱତନ୍ତ୍ର, କାରଣ ଆପ ଏହି ଆସନରୁ ଏହାର ରାଜ୍ୟସଭା ସାଂସଦ ଏବଂ ଶିଳ୍ପପତି ସଞ୍ଜୀବ ଆରୋରାଙ୍କୁ ପ୍ରାର୍ଥୀ କରିଥିଲା। ଏହି ଆସନରୁ କଂଗ୍ରେସ ବରିଷ୍ଠ ନେତା ଭାରତ ଭୂଷଣ ଆଶୁଙ୍କୁ, ବିଜେପି ଜୀବନ ଗୁପ୍ତାଙ୍କୁ ଏବଂ ଶିରୋମଣି ଅକାଳୀ ଦଳ (ଏସଏଡି) ପରରୂପକର ସିଂହ ଘୁମାନଙ୍କୁ ପ୍ରାର୍ଥୀ କରିଥିଲା।

ଗୁଜୁରାଟ, ପଶ୍ଚିମବଙ୍ଗ ଏବଂ ପଞ୍ଜାବର ଗୋଟିଏ ଲେଖାଏଁ ଆସନରେ ବିଧାୟକଙ୍କ ମୃତ୍ୟୁ ପରେ ଏହି ବିଧାନସଭା ଆସନଗୁଡ଼ିକ ଖାଲି ପଡ଼ିଥିଲା। ସେହିପରି ବିଧାୟକମାନଙ୍କ ଇସ୍ତଫା ପରେ କେରଳ ଏବଂ ଗୁଜୁରାଟରେ ଅନ୍ୟ ଏକ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ମୁକ୍ତ ଏବଂ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିସନ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।