୮ରୁ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ

ଭୁବନେଶ୍ବର : ଜଗନ୍ନାଥ ସଂସ୍କୃତି, ପରମ୍ପରା ଓ ଚେତନାକୁ ସୁଦୂରପ୍ରସାର କରିବା ନିମନ୍ତେ ଚଳିତ ବର୍ଷ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ‘ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ’। ନୂଆଦିଲ୍ଲୀ ଛତ୍ରପୁରସ୍ଥିତ ମାର୍କଣ୍ଡେୟ ଭବନରେ ଆସନ୍ତା ୮ରୁ ୧୩ ତାରିଖ ପର୍ଯ୍ୟନ୍ତ ୬ଦିନ ଧରି ଏହି ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ହେଉଛି ବାରମାସରେ ଅନୁଷ୍ଠିତ ହେଉଥିବା ଶ୍ରୀଜନ୍ନାଥ ମହାପ୍ରଭୁଙ୍କ ୨୪ ପାରମ୍ପରିକ ବେଶ। ଏଥିସହ ମହାପ୍ରଭୁଙ୍କୁ ସମର୍ପଣ କରାଯାଉଥିବା ଛପନଭୋଗ ମଧ୍ୟ ମହାପ୍ରସାଦ ମଧ୍ୟ ପ୍ରଦର୍ଶନ କରାଯିବ।
ଗୁରୁଗ୍ରାମସ୍ଥିତ ଶ୍ରୀଜଗନ୍ନାଥ ଚେତନା ସମନ୍ବୟ ସମିତି, ଭୁବନେଶ୍ବରସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ, ଆମେରିକାର ଡ. ଦାଶ ଫାଉଣ୍ଡେସନ୍ର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଶେଷକରି ଜଗନ୍ନାଥଙ୍କୁ କେନ୍ଦ୍ର କରି ଭୌଗୋଳିକ ମାନ୍ୟତା (ଜିଆଇ-ଟ୍ୟାଗ୍) ପାଇଥିବା ପଟ୍ଟଚିତ୍ର, ବମ୍କାଇ ଶାଢ଼ି, ଗୀତଗୋବିନ୍ଦ ଖଣ୍ଡୁଆ, କିଆ ଫୁଲ, ରସଗୋଲା, ଚାନ୍ଦୁଆକୁ ମଧ୍ୟ ଏକାଠି ପ୍ରଦର୍ଶନ କରାଯିବ। ଏହି ଅବସରରେ ପଞ୍ଚରାତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ ଓ ଜଗନ୍ନାଥଙ୍କ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋକପାତ କରାଯିବ। ଏହି ଅବସରରେ ଆଧ୍ୟାତ୍ମିକ ଅନୁଷ୍ଠାନ ରାମକୃଷ୍ଣ ମିସନ୍, ଚିନ୍ମୟ ମିସନ, ଗୀତା ପ୍ରେସ୍ ଓ ଗାୟତ୍ରୀ ପରିବାର ସମେତ ଶ୍ରୀମନ୍ଦିର ପୁରୀର ପ୍ରକାଶନୀ ଓ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଜଗନ୍ନାଥଙ୍କ ସମ୍ପର୍କିତ ପ୍ରକାଶିତ ପୁସ୍ତକକୁ ନେଇ ଏକ ଆଧ୍ୟାତ୍ମିକ ପୁସ୍ତକ ମେଳା ଆୟୋଜିତ ହେବ।