ଅନଲାଇନ୍ ଫୁଡ ଡେଲିଭରୀ ଆପ୍: ଆଉ ମିଳିବ ନାହିଁ ଆକର୍ଷଣୀୟ ଅଫର

ନୂଆଦିଲ୍ଲୀ: ଖାଦ୍ୟପ୍ରେମୀଙ୍କ ପାଇଁ ଦୁଃଖ ଖବର। କାରଣ ଆଗପରି ଜୋମାଟୋ, ସ୍ବିଗୀ ପରି ଅନଲାଇନ୍ ଫୁଡ ଡେଲିଭରୀ ଆପରେ ଆଉ ମିଳିବ ନାହିଁ ଆଗ ପରି ରିହାତି। ଫୁଡ ଡେଲିଭରୀ ଆପ୍ମାନେ ଅତ୍ୟଧିକ ରିହାତି ପ୍ରଦାନରୁ ଦୂରେଇ ରହିବାକୁ ରାଜି ହୋଇଛନ୍ତି। ଆଜି ବିଭିନ୍ନ ରେସ୍ତୋରାଁ ସଂଘ ଓ ଫୁଡ ଆଗ୍ରିଗ୍ରେଟରମାନଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ପରେ ଏ ନେଇ ସହମତି ସୃଷ୍ଟି ହୋଇଛି।
ଜୋମାଟୋ, ସ୍ୱିଗୀ ପରି ଅନଲାଇନ ଫୁଡ ଆଗ୍ରିଗ୍ରେଟର ଓ ଡେଲିଭରୀ ଆପ୍ମାନେ ଖାଦ୍ୟ ଉପରେ ଅତ୍ୟଧିକ ରିହାତି ପ୍ରଦାନ କରୁଥିବାରୁ ପାରମ୍ପରିକ ରେସ୍ତୋରାଁମାନଙ୍କର ବ୍ୟବସାୟ ପ୍ରଭାବିତ ହୋଇଛି। ଲୋକମାନେ ରେସ୍ତୋରାଁ ଯିବା ଅପେକ୍ଷା ଘରେ ବସି ରିହାତି ଦାମରେ ଖାଦ୍ୟ ଅର୍ଡର କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଏହା ଫଳରେ ସେମାନଙ୍କ କ୍ଷତି ମଧ୍ୟ ବଢିଯାଇଛି ବୋଲି ଜାତୀୟ ରେସ୍ତୋରାଁ ସଂଘର ସଭାପତି ରାହୁଲ ସିଂ କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗତ ୬ ଦିନରେ ସଂଘ ଅଧିନରେ ଆସୁଥିବା ପ୍ରାୟ ୧୮୦୦ରୁ ଅଧିକ ରେସ୍ତୋରାଁ ଅନଲାଇନ ଫୁଡ ଆଗ୍ରିଗ୍ରେଟର ଆପଗୁଡ଼ିକଠାରୁ ନିଜକୁ ଦୂରେଇ ରଖିଥିଲେ।