ଏମାର ମଠକୁ ନିଜ ହେପାଜତକୁ ନେଲା ପୋଲିସ

ପୁରୀ : ଆଜି ପୁରା ମଠକୁ ନିଜ ହେପାଜତକୁ ନେଇଛି ପୋଲିସ ପ୍ରଶାସ। ମଠ ଭିତରକୁ ଆଉ କାହାରିକୁ ପ୍ରବେଶ କରିବାକୁ ଦିଆଯାଉନି। ପୁରା ମଠ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୯ ଶହ ବର୍ଷର ଏହି ପୁରୁଣା ମଠ ଉଛେଦ କାମ ଚାଲିଥିବା ବେଳେ ଗତକାଲି ଭୂତଳ ସୁଡଙ୍ଗ ଠାବ ହୋଇଥିଲା। ମଠ ଭାଙ୍ଗିବା ବେଳେ ଏହା ସାମ୍ନାକୁ ଆସିବା ପରେ ସମସ୍ତଙ୍କ କୌତୁହଳ ବି ବଢ଼ୁଛି। ମଠର ପଛ ପାର୍ଶ୍ବ କାନ୍ଥକୁ ବୁଲଡୋଜର ଭାଙ୍ଗି ଭାଙ୍ଗି ଯାଉଥିବା ବେଳେ ଗତକାଲି ଏହା ଦେଖିବାକୁ ମିଳିଥିଲା। ଏହା କେତେ ବାଟ ଯାଇଛି, ଏହା ଭିତରେ କଣ ରହିଛି ତାହା ଏବେ ବି ରହସ୍ୟ ଘେରରେ ରହିଛି। ଆଜି ଉଚ୍ଛେଦ ଆଗକୁ ବଢିବା ସହିତ ଏନେଇ ଅଧିକ ସୂଚନା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
ତେବେ ପାଖାପାଖି ୯୨ କୋଟିର ରୁପା ଇଟାକୁ ନେଇ ଏକଦା ଚର୍ଚ୍ଚିତ ଥିବା ବିତ୍ତଶାଳୀ ଏମାର ମଠ ପୁଣି ଥରେ ଗୁପ୍ତଧନକୁ ନେଇ ଚର୍ଚ୍ଚାକୁ ଆସିଛି, ଯଦିଓ ଏହାର ସତ୍ୟତା ସଂପର୍କରେ ବର୍ତ୍ତମାନ କିଛି ସ୍ପଷ୍ଟ ହୋଇନାହିଁ। କିନ୍ତୁ ମଠ ଯେତିକି ଭାଙ୍ଗୁଛି ଜନମାନସରେ ଉତ୍କଣ୍ଠା ସେତିକି ବଢିବାରେ ଲାଗିଛି। ମଠର ପଛପାର୍ଶ୍ବ ମହନ୍ତଙ୍କ ଘର କାନ୍ଥକୁ ଲାଗି ଏକ ପରିତ୍ୟକ୍ତ କୋଠା ଭଙ୍ଗାଯିବା ବେଳେ ଏକ ରହସ୍ୟମୟ ଗମ୍ଭୀରା ଘର ଦେଖିବାକୁ ମିଳିଥିଲା। ଏହି ଗୁପ୍ତ ଘରର ରହସ୍ୟ ଫିଟି ପାରିନାହିଁ। ଉଚ୍ଛେଦ ବନ୍ଦ ରହିବା ପରେ ପ୍ରଶାସନ ଏ ବାବଦରେ ଅଧିକ ଖୋଳତାଡ ମଧ୍ୟ କରିନାହିଁ। ତେବେ ଏହି ଗୁପ୍ତ ଘରକୁ କେହି କେହି ସୁଡ଼ଙ୍ଗ କହୁଥିବା ବେଳେ ଆଉ କେହି ଏହାକୁ ଧାନ ଅମାର ବୋଲି କହୁଛନ୍ତି।