Odisha Link
Bridging the Missing Links in Odisha

ଘାତକ ହେଉଛି ହରପିସ୍‌ ଭୂତାଣୁ, ଗଲାଣି ୪ହାତୀଙ୍କ ଜୀବନ

ଭୁବନେଶ୍ବର: ଘାତକ ରୂପ ନେଲାଣି ହରପିସ୍‌ ଭୂତାଣୁ। ଏମିତି ଏକ ଭୂତାଣୁ ଯାହା ୪ଜଣ ହାତୀଙ୍କର ଜୀବନ ନେଇ ସାରିଲାଣି। ଜୁଲି’, ‘ଚନ୍ଦନ’ ‘କମଳା’ ପରେ ଆଖି ବୁଜିଲା ୭ ବର୍ଷର ଛୁଆ ହାତୀ ‘ଗୌରୀ’। ମାସକ ମଧ୍ୟରେ ନନ୍ଦନକାନନରେ ୪ ହାତୀ ଆଖି ବୁଜିଲେଣି। ଗୌରୀ ସ୍ୱାସ୍ଥ୍ୟବସ୍ଥାରେ କ୍ରମଶଃ ସୁଧାର ଆସୁଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହୁଥିବା ବେଳେ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛି ଏହି ଛୁଆ ହାତୀ।

ଗତକାଲି ରାତି ୯ଟା ୫୧ ମିନିଟ୍‌ରେ ‘ଗୌରୀ’ ପ୍ରାଣ ହରାଇଥିବା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଭୟଙ୍କର ହରପିସ୍ ଭୂତାଣୁ ସଂକ୍ରମଣ ଯୋଗୁ ‘ଗୌରୀ’ କିଛି ଦିନ ହେଲା ଅସୁସ୍ଥ ଥିଲା। ତାର ନିୟମିତ ଚିକିତ୍ସା ଚାଲିଥିବା ବେଳେ ପ୍ରତି ୧୨ ଘଣ୍ଟାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲା। ସଂକ୍ରମଣ ଆଶଙ୍କାରେ ଅନ୍ୟ ହାତୀଙ୍କଠାରୁ ତାକୁ ଅଲଗା ମଧ୍ୟ ରଖାଯାଇଥିଲା।

ଏହାପୂର୍ବରୁ ଅଗଷ୍ଟ ୨୫ ତାରିଖରେ ହାତୀ ‘ଜୁଲି’, ସେପ୍ଟେମ୍ବର ୧୫ରେ ‘ଚନ୍ଦନ’ ଏବଂ ୧୯ ତାରିଖରେ ‘କମଳା’ର ମୃତ୍ୟୁ ହୋଇଛି। ଏବେ ‘ଗୌରୀ’ର ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହାତୀ ସଂଖ୍ୟା ୮ରୁ ୪କୁ ଖସି ଆସିଛି। ଯାହା ଏବେ ଉଦ୍‌ବେଗର ବିଷୟ ପାଲଟିଛି। ଏବେ କିପରି ଅନ୍ୟ ହାତୀଙ୍କୁ ହରପିସ୍ ଭୂତାଣୁ ସଂକ୍ରମଣ ନ ବ୍ୟାପିବ ସେ ନେଇ ଠୋସ୍ ପଦକ୍ଷେପ ସହ ସଚେତନତା ଆବଶ୍ୟକ ରହିଛି।

Comments are closed.